ୱାକଫ୍ ବିଲ ସପକ୍ଷରେ ଭୋଟ୍ ଦେଇଥିଲେ ୫ ବିଜେଡି ସାଂସଦ
ଏପ୍ରିଲ୍ ମାସରେ ୱାକଫ୍ ବିଲ୍କୁ ନେଇ ବିଜେଡିରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ବିଲ୍କୁ ବିରୋଧ କରିବ ବୋଲି ଆରମ୍ଭରୁ କହି ଆସୁଥିବା ବିଜେଡି ଶେଷ ମୂହୁର୍ତ୍ତରେ ପଲଟିଯାଇଥିଲା। ସାଂସଦମାନଙ୍କ ବିବେକ ଉପରକୁ ନିଷ୍ପତ୍ତି ଛାଡ଼ିଦେଇଥିଲା। ବିଲ୍ ସପକ୍ଷରେ କିଏ ଓ ବିପକ୍ଷରେ କିଏ ଭୋଟ୍ ଦେଇଥିଲେ, ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳି ନଥିଲା। ରାଜ୍ୟସଭାର ‘ଅଫିସିଆଲ୍ ଭର୍ସନ ଅଫ୍ ଡିବେଟ୍ସ’ରେ ଏହା ସ୍ପଷ୍ଟ କରାଯାଇଛି। ୱାକଫ୍(ସଂଶୋଧନ) ବିଲ୍କୁ ବିଜେଡିର ୫ ଜଣ ସାଂସଦ ସମର୍ଥନ କରି ଭୋଟ୍ ଦେଇଥିଲେ। ସସ୍ମିତ ପାତ୍ର, ସୁଲତା ଦେଓ, ନିରଞ୍ଜନ ବିଶି, ଶୁଭାଶିଷ ଖୁଣ୍ଟିଆ ଓ ମାନସ ରଞ୍ଜନ ମଙ୍ଗରାଜ ବିଲ୍ ସମର୍ଥନରେ ଭୋଟ୍ ଦେଇଥିଲେ। ଏକମାତ୍ର ସାଂସଦ ମୋଜିବୁଲ୍ଲା(ମୁନା) ଖାନ୍ ବିଲ୍ ବିରୋଧରେ ଭୋଟ ଦେଇଥିଲେ। ଚଳିତ ମାସ ୨୧ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହି ତଥ୍ୟ ପ୍ରକାଶ ପାଇଛି। ତେଣୁ ଏଥର ବିଜେଡିର ଅଭିମୁଖ୍ୟ କ’ଣ ରହିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
