ରଥଯାତ୍ରାରେ ମୁତୟନ ହେବେ ଘରୋଇ ସୁରକ୍ଷା କର୍ମୀ
ରଥଯାତ୍ରା ଇତିହାସରେ ପ୍ରଥମ। ମୁତୟନ ହେବେ ଘରୋଇ ସୁରକ୍ଷା କର୍ମୀ। ରଥଯାତ୍ରା ବେଳେ ବିଭିନ୍ନ ପାର୍କିଂସ୍ଥଳ ଜଗିବେ। ଯାନବାହନ ନିୟନ୍ତ୍ରଣରେ ସାହାଯ୍ୟ କରିବେ। ଏଥିପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ୧୬ ହଜାର ଟଙ୍କା। ରଥଯାତ୍ରା ଇତିହାସରେ ଏଭଳି ପ୍ରଥମ ଘଟଣା ଘଟିବାକୁ ଯାଉଛି। ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ହେବା ପରେ ପୁରୀ ଏସ୍ପି ଅତିରିକ୍ତ ଡିଜିଙ୍କୁ ଚିଠି ଲେଖିଛନ୍ତି। ବୈଠକର ନିଷ୍ପତ୍ତି ମୁତାବକ ଘରୋଇ ସଂସ୍ଥାଙ୍କଠାରୁ ଟେଣ୍ଡର ଆହ୍ବାନ କରିବାକୁ ଅନୁମତି ମାଗିଛନ୍ତି। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘରୋଇ ସଂସ୍ଥାଙ୍କ ନାମରେ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତି ଦେଇ ମୋଟାଅଙ୍କର ହାତଗୁଞ୍ଜା ହାତେଇବା ପାଇଁ ଯୋଜନା ହୋଇଥିବା ଅଭିଯୋଗ ହୋଇଛି। ରଥଯାତ୍ରାରେ ହଜାର ହଜାର ଗାଡ଼ି ପୁରୀ ଆସେ। ସେମାନଙ୍କ ପାର୍କିଂ ପାଇଁ ସହରର ଉପକଣ୍ଠରେ ବିଭିନ୍ନ ଜାଗାରେ ବ୍ୟବସ୍ଥା ହୁଏ। ଛକ ଜାଗାମାନଙ୍କରେ ପୁଲିସ ଛିଡ଼ା ହୋଇ ପାର୍କିଂ ଜାଗାକୁ ଗାଡ଼ିଗୁଡ଼ିକୁ ପଠାଇ ଦିଏ। ପାର୍କିଂରେ ଗାଡ଼ି ରଖି ଭକ୍ତମାନେ ବଡ଼ଦାଣ୍ଡରେ ପହଞ୍ଚିଥାନ୍ତି। କିନ୍ତୁ ପାର୍କିଂ ଜାଗାରେ ଏହି ଘରୋଇ ସୁରକ୍ଷାକର୍ମୀଙ୍କର କ’ଣ ଆବଶ୍ୟକତା ପଡ଼ିଲା ସେ ନେଇ ପ୍ରଶ୍ନ ଉଠିଛି। ପୁଲିସ କହୁଛି କି ଗାଡ଼ିଗୁଡ଼ିକର ସୁରକ୍ଷାର ଆବଶ୍ୟକତା ରହିଛି। ପାର୍କିଂ ଜାଗାରେ ଅନେକ ସମୟରେ ଗାଡ଼ିଗୁଡ଼ିକ ନିରାପଦରେ ରହୁ ନଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି।
