ରାଜଧାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ

ଦୀପାବଳୀରେ ଜଳିଗଲା ୫ଟି ବସ୍‌ ପାଉଁଶ

ଭୁବନେଶ୍ୱର ତମାଣ୍ଡୋରେ ଦୀପାବଳିରେ ଅଘଟଣ । ଦୀପାବଳି ଅବସରରେ ରାଜଧାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ । ତମାଣ୍ଡୋ ଥାନା ପାତ୍ରପଡ଼ା ଛକରେ ଥିବା ଗୋଟିଏ ଗ୍ୟାରେଜରେ ନିଆଁ ଲାଗି ୫ଟି ବସ୍‌ ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଯୋଗୁ ଗ୍ୟାରେଜରେ ଥିବା ଅନେକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଭୁବନେଶ୍ୱର ତମାଣ୍ଡୋ ଛକ ପାଖ ପାତ୍ରପଡା HDFC ବ୍ୟାଙ୍କ ସାମ୍ନାରେ ଥିବା ଗ୍ୟାରେଜରେ ଘଟିଛି ଅଘଟଣ । ଗ୍ୟାରେଜରେ ଓଲଡିଂ ଚାଲିଥିବା ବେଳେ ହଠାତ୍‌ ଗୋଟିଏ ବସରେ ନିଆଁ ଲାଗିଯାଉଥିଲା । ଏହାପରେ ଆଉ ୪ଟି ବସ୍‌କୁ ମଧ୍ୟ ନିଆଁ ମାଡ଼ି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀର ୪ଟି ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଦିନ ୧ରୁ ୪ଟା ଯାଏ ଅଗ୍ନିଶମ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ ।