ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ
ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ । ଅକ୍ଟୋବର ଆସିଲେ, ମନରେ ବାତ୍ୟା ଭୟ ସଞ୍ଚାର ହୁଏ । ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ମାତ୍ରେ ବାତ୍ୟା ଆଶଙ୍କା ସମସ୍ତଙ୍କୁ ବିଚଳିତ କରେ । ଏବେ ମଧ୍ୟ ସେମିତି କିଛି ଖବରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା । ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ- ଜିଏଫଏସ୍ ମଡେଲ ସମ୍ଭାବ୍ୟ ବାତ୍ୟାକୁ ନେଇ ଏଭଳି ଆକଳନ କରିଛି । ବଙ୍ଗୋପସାଗରରେ ବାତ୍ୟା ଭୟ ସୃଷ୍ଟି ହୋଇଛି। ପୂର୍ବରୁ ବିଭିନ୍ନ ବିଦେଶୀ ମଡେଲ୍ ବାତ୍ୟା ନେଇ ଆକଳନ କରୁଥିବା ବେଳେ ଏବେ ଭାରତୀୟ ପାଣିପାଗ ବିଭାଗର ସାପ୍ତାହିକ୍ ‘ବିସ୍ତାରିତ ପରିସର ଆକଳନ’ ବୁଲେଟିନ୍ରେ ହୋଇଥିବା ପୂର୍ବାନୁମାନ ବାତ୍ୟା ଆଶଙ୍କାକୁ ଖୋରାକ୍ ଯୋଗାଇଛି। ଯଦିଓ ବାତ୍ୟା କେତେ ଘନୀଭୂତ ହେବ ଓ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ମାତ୍ର ବାତ୍ୟା ସୃଷ୍ଟି ନେଇ କରାଯାଇଥିବା ଆଶଙ୍କା ଦୃଢ଼ୀଭୂତ ହୋଇଛି।
ଇସିଏମଡବ୍ଲୁଏଫ ମଡେଲ… କେବଳ ଜିଏଫଏସ ମଡେଲ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ପାଣିପାଗକୁ ପୂର୍ବାନୁମାନ କରୁଥିବା ଆଉ ଏକ ସଂସ୍ଥା ସେଣ୍ଟର ଫର ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟ- ଇସିଏମଡବ୍ଲୁଏଫର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲ ମଧ୍ୟ ବାତ୍ୟାକୁ ନେଇ ପୂର୍ବାନୁମାନ କରିଛି । ଆଗାମୀ ୨୨ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ଏହି ମଡେଲ । ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଏହା କେବଳ ବିଭିନ୍ନ ପାଣିପାଗ ମଡେଲର ଆକଳନ । ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଗାମୀ ୨୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ୨୨ ତାରିଖ ବେଳକୁ କେନ୍ଦ୍ରୀୟ ଏହା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରର ରୂପନେବ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ । ଏହାର ପ୍ରଭାବରେ ଆଗାମୀ ୨୩ ତାରିଖ ବେଳକୁ ବର୍ଷା ହୋଇପାରେ।
ବାତ୍ୟାପ୍ରବଣ ଓଡ଼ିଶାର ଇତିହାସ ଦେଖିଲେ,ରାଜ୍ୟରେ ଅକ୍ଟୋବର ମାସରେ ହିଁ ଅଧିକାଂଶ ବାତ୍ୟା ମାଡ଼ ହୋଇଛି। ୧୯୯୯ ଅକଟୋବର ୨୯ରେ ଉପକୂଳ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା ମହାବାତ୍ୟା। ପରେ ପୁଣି ୨୦୧୩ ସେହି ଅକ୍ଟୋବରରେ ଆସିଥିଲା ଅତିଭୀଷଣ ସାମୁଦ୍ରିକ ଝଡ଼ ଫାଇଲିନ୍। ସେହିଭଳି ୨୦୧୪ ଅକ୍ଟୋବରରେ ହୁ଼ଡହୁଡ ଓ ୨୦୧୮ ଅକଟୋବରରେ ତିତଲିର ତାଣ୍ଡବକୁ ସାମ୍ନା କରିଥିଲେ ଓଡ଼ିଶାବାସୀ।
