ବିକଶିତ ଭାରତ ପାଇଁ ବିଶ୍ବବନ୍ଧୁ ହେବା ଜରୁରୀ
ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆଜି କଟକରେ ଏକ କାର୍ୟ୍ୟକ୍ରମରେ ଯୋଗଦେଇଛନ୍ତି। ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ କଟକ ସହରର ବୁଦ୍ଧିଜୀବୀଙ୍କ ଏକ ଭବ୍ୟ ସମାବେଶରେ ‘ବିଶ୍ୱବନ୍ଧୁ ଭାରତ’ ବିଷୟ ଉପରେ ତାଙ୍କର ବିଦେଶ ଗସ୍ତରେ ହୋଇଥିବା ଅନୁଭୂତି ଓ ମୋଦି ସରକାରଙ୍କ ସଫଳ ବିଚାର ସମ୍ପର୍କରେ ନିଜର ବୌଦ୍ଧିକ ବକ୍ତବ୍ୟ ରଖିଛନ୍ତି। କାର୍ୟ୍ୟକ୍ରମରେ ଉଦବୋଧନ ଦେଇ ସେ କହିଛନ୍ତି, ବିକଶିତ ଭାରତ ପାଇଁ ଆମକୁ ବିଶ୍ବବନ୍ଧୁ ହେବା ନିହାତି ଜରୁରୀ। ଭାରତ ନିଜର ସୁରକ୍ଷା କରିବା ସହ ଅନ୍ୟ ଦେଶ ସହ ପାର୍ଟନର ସିପ୍ କରିବା ପାଇଁ ସକ୍ଷମ ହୋଇଛି। ସମସ୍ତଙ୍କୁ ଏକତ୍ରିତ କରିବା ଶିଖିଛି ଭାରତ। ଦେଶର ଛବି ହେଉଛି ନେତାଙ୍କ ଛବି। ଆଜି ଭାରତକୁ ସାରା ବିଶ୍ୱ ବନ୍ଧୁବୋଲି ସମ୍ୱୋଧନ କରୁଛି। ପରୋକ୍ଷରେ ଏହା ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ସମ୍ୱୋଧିତ କରାଯାଉଛି। ଗତ ୧୦ବର୍ଷରେ ମୋଦି ସରକାର ଅନେକ ରେକର୍ଡ କରିଛନ୍ତି। ଏହି ୧୦ବର୍ଷରେ ଦେଶ ପାଇଁ ମଜବୁତ ମୂଳଦୁଆ ପକାଇଛି ମୋଦି ସରକାର। ତେବେ ଏହା ଆଗାମୀ ୨୫ବର୍ଷ ଯାଏ ବାଟ କଢାଇ ନେବ। ଗାଁ ଗାଁକୁ ପକ୍କା ସଡ଼କ, ବିଜୁଳି, ପାସପୋର୍ଟ ସେବା ଆଦିରେ ଅନେକ ପରିବର୍ତ୍ତନ ହୋଇଛି। ସାଧାରଣ ନାଗରିକର ଜୀବନଧାରଣର ମାନ ବୃଦ୍ଧି ପାଇଛି। ଭାରତକୁ ବିଶ୍ୱରେ ଏକ ନମ୍ୱର ହେବାକୁ ହେଲେ ନୂଆ ଟେକ୍ନୋଲୋଜି ଓ ନୂଆ ଚାଲେଞ୍ଜର ସାମନା କରିବାକୁ ପଡିବ। ୧୦ ବର୍ଷ ତଳେ ଆମେ କେବଳ ଆମଦାନୀ କରୁଥିଲୁ, ଏହା ଆମ ଇମେଜ ଥିଲା। ଏବେ ମେକ୍ ଇନ୍ ଇଣ୍ଡିଆ ଆମ ଇମେଜ୍। ୩ଏ, ୪ଏ ମେଡ୍ ଇନ୍ ଚାଇନା ଥିଲା; କିନ୍ତୁ ୫ଏ ମେକ୍ ଇନ୍ ଇଣ୍ଡିଆ। ମହାମାରୀ ସମୟରେ ଆମ ଉପରେ ଅନେକ ଚାପ ଥିଲା। ବାହାରୁ ଭ୍ୟାକସିନ୍ ଆମଦାନୀ କରିବାକୁ କୁହାଯାଉଥିଲା। ମାତ୍ର ସେତେବେଳେ ଟିକାକରଣ ଜରୁରୀ ଥିଲା। ଆମେ ମେକ୍ ଇନ୍ ଇଣ୍ଡିଆ ଉପରେ ଭରସା କଲୁ। ଯାହା ଫଳରେ ମହାମାରୀର ମୁକାବିଲା କରିବାରେ ଆମେ ସଫଳ ହୋଇପାରିଛୁ।