୫ ମାସରେ ଗଲାଣି ୨୩ରୁ ଅଧିକ ଜୀବନ
ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଦାଦନ ଦୁଃଖ ଚରମ ସୀମାରେ । ଗଞ୍ଜାମର ପିଛା ଛାଡୁନି ଦାଦନ ଯନ୍ତ୍ରଣା । ସରକାର ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବା ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି କିନ୍ତୁ ତାହା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଲୋକଙ୍କ ପାଖରେ ପହଞ୍ଚି ପାରୁନି । ଗତ ୫ ମାସ ଭିତରେ ଜିଲ୍ଲାର ୨୩ରୁ ଅଧିକ ଶ୍ରମିକଙ୍କ ବାହାର ରାଜ୍ୟ ଓ ଦେଶରେ ମୃତ୍ୟୁ ହୋଇସାରିଲାଣି । ସେହିପରି କିଛି ଶ୍ରମିକ ଏବେବି ନିର୍ଯାତିତ ହୋଇ ଫସିରହିଛନ୍ତି । ଏହି ଧାରାରେ ପୁଣି ଯୋଡ଼ିହୋଇଛି ଆଉ ଏକ ଦୁଃଖଦ ଘଟଣା । ଚେନ୍ନାଇରେ ଏକ ଦାଦନ ଶ୍ରମିକ ଭାବେ କାମ କରୁଥିବା ଜଣେ ଓଡ଼ିଆ ଯୁବକଙ୍କ ସେଠାରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟ ଘଟିଥିବା ସୂଚନା ରହିଛି । ମୃତକ ହେଲେ, ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗି ଗ୍ରାମର ମଙ୍ଗୁଳୁ ପାତ୍ର । ସବୁଦିନ ଭଳି ମଙ୍ଗୁଳୁ କାମ କରିବାକୁ କର୍ମସ୍ଥଳକୁ ଯାଇଥିଲେ। କିନ୍ତୁ ହଠାତ୍ ରାସ୍ତାକଡ଼ରୁ ତାଙ୍କ ଶବ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ମଙ୍ଗୁଳୁଙ୍କ ଶବକୁ ସେଠାକାର ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏଯାଏ ତାଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହୋଇପାରିନି । ପରିବାରବର୍ଗ ଅତ୍ୟନ୍ତ ଗରିବ ହୋଇଥିବା କାରଣରୁ ଶବକୁ ଆଣିବା ଲାଗି ସେମାନେ ଅକ୍ଷମତା ପ୍ରକାଶ କରିଛନ୍ତି। ଫଳରେ ଚେନ୍ନାଇରେ ହିଁ ଶବକୁ ଦାହ କରାଯିବ ବୋଲି ଜଣାପଡ଼ିଛି। ଚେନ୍ନାଇ ନିକଟରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ମଙ୍ଗୁଳୁଙ୍କ ୨୨ ବର୍ଷ ବୟସର ପୁଅ ଖବର ପାଇ ସେଠାରେ ପହଞ୍ଚିଛନ୍ତି।
Top of Form
Bottom of Form