ମନରେଗା କାମରେ କରିଥିଲେ ବ୍ୟାପକ ଘୋଟାଲା !
ଭିଜିଲାନ୍ସ ଜାଲରେ ଫସିଛନ୍ତି ଦୁଲଣାପୁର ପୂର୍ବତନ ସରପଞ୍ଚ । ତେବେ ଏହି ପୂର୍ବତନ ସରପଞ୍ଚ ବାବୁଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ । ଆଜି ଏକା ସାଙ୍ଗରେ ନିଜ ଘର ଦୁଳଣାପୁରର ସ୍ଥିତ ତିନି ମହଲା ଘର ଏବଂ କଟକ ତୁଳସୀପୁର ଶଶୁର ଘର ଏବଂ ପେଟ୍ରୋଲ ପମ୍ପରେ ଚଢାଉ କରିଛି ଭିଜିଲାନ୍ସ । ୨୦୧୯ରୁ ୨୦୨୧ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନାରେ ବ୍ୟାପକ ଘୋଟାଲା କରିଥିବା ନେଇ ତାଙ୍କ ବିରୋଧରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଭିଜିଲାନ୍ସ ଆଜି ଚଢାଉ କରିଛି । ବିଶେଷ କରି ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।
କଟକ ଜିଲ୍ଲା ଡମପଡା ବ୍ଲକ ଦୁଲଣାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନୀଲ କୁମାର ସାହୁ । ମନେରେଗା ଯୋଜନା ସମେତ କୋଭିଡ ସମୟରେ ଆସିଥିବା ଅର୍ଥ ତଥା ଆହୁରି ବହୁ ଯୋଜନାର ଅର୍ଥକୁ ସୁନିଲ କୁମାର ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୂର୍ବରୁ ଲୋକାଯୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ଲୋକାୟୁକ୍ତ ଏହାର ତଦନ୍ତ ଭାର ଭିଜିଲାନ୍ସକୁ ଦେଇଥିଲେ।ଭିଜିଲାନ୍ସ ପୂର୍ବରୁ ପଞ୍ଚାୟତର ବିଭିନ୍ନ କାମର ତଦନ୍ତବେଳେ ଆଜି ଭୋରୁ ତାଙ୍କ ଘରେ ପଶିଛି। ଚଢ଼ାଉ ସମୟରେ ସୁନୀଲଙ୍କ ଘରୁ ବହୁ ସୁନା, ଗହଣା ତଥା ବିଭିନ୍ନ ବଣ୍ଡ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାଯାଇଛି।