ଶୀତରେ ଥରୁଛି ସାରା ଓଡିଶା, ସର୍ବନିମ୍ନ ତାପମାତ୍ରା ୩.୧ ଡ଼ିଗ୍ରୀ
ଶୀତରେ ଥରୁଛି ସାରା ଓଡିଶା । ଜାଡ ମାଡରେ ଅସ୍ତବ୍ୟସ୍ତ ଜନଜୀବନ । ଥଣ୍ଡାରେ ସକାଳୁ ଘରୁ ବାହାରିବା ମୁସକିଲ ହୋଇପଡ଼ୁଛି । ସଂଧ୍ୟା ହେଉ ହେଉ ହେଉ ଶୂନଶାନ ରାସ୍ତାଘାଟ । ଫୁଲବାଣୀ,ଦାରିଙ୍ଗବାଡ଼ି, ଜି ଉଦୟଗିରି, ବାଲିଗୁଡା, ତୁମୁଡ଼ିବନ୍ଧ, କୋଟଗଡ଼ରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ । ଅନେକ ଅଂଚଳରେ ଦେଖିବାକୁ ମିଳୁଛି ତୁଷାରପାତ ।ଚଳିତ ବର୍ଷ ଜି.ଉଦୟଗିରି ପାଲଟିଛି ସବୁଠୁ ଥଣ୍ଡା ସହର । ସର୍ବନିମ୍ନ ତାପମାତ୍ରା ୩.୧ ଡ଼ିଗ୍ରୀ ରହିଛି। ୫.୫ ଡ଼ିଗ୍ରୀ ଶୀତରେ ଥରୁଛି ଫୁଲବାଣୀ। ଦାରିଙ୍ଗବାଡ଼ିରେ ୬ ଡ଼ିଗ୍ରୀ ଛୁଇଁଛି ପାରଦ । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଶୀତର ପ୍ରକୋପ ଅଧିକ ଅଛି । କପ୍ତିପଦା ଉପଖଣ୍ଡରେ ମଧ୍ୟ ଶୀତ ବେଶ ଅନୁଭୂତ ହେଉଛି । ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରୀ ଓ ସର୍ବନିମ୍ନ ରାତି ତାପମାତ୍ରା ୧୨ ଡିଗ୍ରୀ ରହିବାର ପୂର୍ବାନୁମାନ କରାଯାଇଛି । ୧୦ ଡିଗ୍ରୀ ତଳେ ରହିଛି ୧୬ ସହରର ତାପମାତ୍ରା । ଅନୁଗୁଳ ଓ ଝାରସୁଗୁଡ଼ାରେ ଶୀତଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
