ଭାରତ ଆସିବେ ଏଲନ୍ ମସ୍କ
ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ୍ ମସ୍କ ଭାରତ ଆସିବେ। ଏହି ବର୍ଷ ଶେଷରେ ଭାରତ ଗସ୍ତ କରିବାକୁ ଉତ୍ସାହର ସହିତ ଅପେକ୍ଷା କରିଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବା ପରେ ମସ୍କ ଏହି ସୂଚନା ଦେଇଛନ୍ତି। ମସ୍କ ମଧ୍ୟ ଏହି ବର୍ଷ ଭାରତରେ ଟେସଲା ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବର୍ତ୍ତମାନ ଟେସଲା ମୁମ୍ବାଇ ଏବଂ ଦିଲ୍ଲୀରେ ଶୋ’ରୁମ୍ ପାଇଁ କିଛି ସ୍ଥାନ ଭଡାରେ ନେଇଛି। ମୋଦୀଙ୍କ ସହ କଥା ହେବା ପରେ, ସେ ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ ସେ ଭାରତ ଆସିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବା ଏକ ସମ୍ମାନର କଥା। ମୁଁ ଏହି ବର୍ଷ ଶେଷରେ ଭାରତ ଗସ୍ତ କରିବାକୁ ଅପେକ୍ଷା କରିଛି!”
ମସ୍କ ତାଙ୍କ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ସେୟାର କରାଯାଇଥିବା ପୋଷ୍ଟକୁ ରିଟ୍ବିଟ୍ ଏହା ଲେଖିଛନ୍ତି। ପୂର୍ବରୁ, ମସ୍କଙ୍କ ସହ କଥାବାର୍ତ୍ତା କରିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଥିଲେ, “ଏଲନ୍ ମସ୍କଙ୍କ ସହ କଥାବାର୍ତ୍ତା ସମୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଥିରେ ଚଳିତ ବର୍ଷ ଆରମ୍ଭରେ ୱାଶିଂଟନ୍ ଡିସିରେ ଆମର ବୈଠକ ସମୟରେ ଆଲୋଚନା ହୋଇଥିବା ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ ଥିଲା। ଆମେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ସହଯୋଗର ଅପାର ସମ୍ଭାବନା ବିଷୟରେ ଆଲୋଚନା କରିଥିଲୁ। ଭାରତ ଏହି କ୍ଷେତ୍ରଗୁଡ଼ିକରେ ଆମେରିକା ସହିତ ଏହାର ସହଭାଗୀତାକୁ ଆହୁରି ବୃଦ୍ଧି କରିବାକୁ ପ୍ରତିବଦ୍ଧ,” ମୋଦୀ କହିଥିଲେ।
