ନୂଆ ରାଜନୈତିକ ଦଳ ଗଠନ କଲେ ଏଲନ ମସ୍କ
ନୂଆ ରାଜନୈତିକ ପାର୍ଟି ଗଢିଲେ ଏଲନ ମସ୍କ । ଭାଙ୍ଗିବ ଆମେରିକାର ଦୁଇ-ଦଳୀୟ ବ୍ୟବସ୍ଥା । ‘ଆମେରିକା ପାର୍ଟି’ ନାଁରେ ରାଜନୈତିକ ଦଳ ଗଠନ ନେଇ ଘୋଷଣା କରିଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ । ପଲଟିକାଲ ମୈଦାନରେ ଟ୍ରମ୍ପଙ୍କୁ ଦେବେ ସିଧା ଟକ୍କର ।ଆମେରିକାର ୨୪୯ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବହୁ ଚର୍ଚ୍ଚିତ “One Big Beautiful” ଆଇନ କାର୍ଯ୍ୟକାରୀ କରିଛନ୍ତି । ଏହି ସମୟରେ, ତାଙ୍କର ପୂର୍ବତନ ସହଯୋଗୀ ତଥା ଶିଳ୍ପପତି ଏଲନ ମସ୍କ ‘ଆମେରିକା ପାର୍ଟି’ ନାମରେ ଏକ ନୂତନ ରାଜନୈତିକ ଦଳ ଗଠନ ଘୋଷଣା କରିଛନ୍ତି। ଏହି ଆଇନ ଲାଗୁ ହେବା ପରେ ଟ୍ରମ୍ପଙ୍କ ସହ ମସ୍କଙ୍କ ହୋଇଥିଲା ମତଭେଦ । ଏହାପରେ ରାଜନୈତିକ ଦଳ ଗଢିବାକୁ ନିଷ୍ପତ୍ତି ନେଇଥିଲେ ମସ୍କ । ସେ କହିଛନ୍ତି ଯେ ଏହି ଦଳ ଆମେରିକାର ଲୋକମାନଙ୍କୁ ଟୁ ପାର୍ଟି ସିଷ୍ଟମରୁ ମୁକ୍ତ କରିବ ।
ମସ୍କଙ୍କ ଏହି ଘୋଷଣା ପରେ ଆମେରିକୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଏକ ସର୍ଭେ ଅନୁଯାୟୀ, ଆମେରିକାରେ ଏକ ନୂଆ ରାଜନୈତିକ ଦଳ ଗଠନ କରାଯିବା ଉଚିତ କି ନାହିଁ ମସ୍କ ତାଙ୍କ ୨୨୦ ମିଲିୟନ ଫଲୋର୍ସଙ୍କୁ ନେଇ ଜନମତ କରିଥିଲେ । ଏହାର ଜବାବରେ ୬୫.୪ ପ୍ରତିଶତ ଲୋକ ନୂଆ ଦଳ ଗଠନ ନେଇ ସମର୍ଥନ କରିଥିବା ବେଳେ ୩୪.୬ ପ୍ରତିଶତ ଲୋକ ନା କହିଥିଲେ । ତେବେ ରାଜନୈତିକ ଦଳ ବିକଳ୍ପର ଇଛା ପ୍ରକାଶ କରିବା ପରେ ଏହି ଦଳ ଗଠନ ନେଇ ନିଷ୍ପତ୍ତି ହୋଇଥିବା ମସ୍କ କହିଛନ୍ତି । ଟେସଲା ମାଲିକ ଏଲନ ମସ୍କଙ୍କ ଏପରି ଘୋଷଣା ପରେ ଆମେରିକାରେ ରାଜନୈତିକ ହଲଚଲ ବଢ଼ିଯାଇଛି । ଏହି ନୂଆ ଦଳ ଗଠନର ମୂଳ କାରଣ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସମ୍ପର୍କରେ ତୀବ୍ର ବିବାଦ । ମସ୍କ ଓ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ଜୁନ ୨୦୨୫ରେ ତୀବ୍ର ହୋଇଥିଲା । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ସାଉଥ ଆଫ୍ରିକାରେ ଜନ୍ମ ହୋଇଥିବା ବେଳେ ୨୦୨୨ରେ ଆମେରିକାର ନାଗରିକତା ଗ୍ରହଣ କରିଥିଲେ ।
