‘ଆଦିବାସୀଙ୍କ ଉପରେ ଥିବା ୫୦ ହଜାର ମାମଲା ରଦ୍ଦ ହେବ’

ବିରୋଧୀ ପରଦେଶୀ ଚଢେଇ: ପାଣ୍ଡିଆନ୍

ରାଜ୍ୟରେ ନିର୍ବାଚନ ମାହୋଲ ଜମିବାରେ ଲାଗିଛି । ବିଜେପି ଓ କଂଗ୍ରେସର କେନ୍ଦ୍ରୀୟ ନେତାଙ୍କୁ ଟକ୍କର ଦେଇ ବିଜେଡି ପାଇଁ ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏହି କ୍ରମରେ ଆଜି ଫୁଲବାଣୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଏକ ଜନସଭାକୁ ଉଦବୋଧନ ଦେଇଛନ୍ତି । ଆଦିବାସୀ ଭୋଟକୁ ହାତେଇବା ପାଇଁ ଅନେକ ପ୍ରତିଶ୍ରୁତି ବି ଦେଇଛନ୍ତି।

ଜନସଭାକୁ ଉଦବୋଧନ ଦେଇ ପାଣ୍ଡିଆନ କହିଛନ୍ତି କି, ବିରୋଧୀ ବାରମ୍ବାର ରାଜ୍ୟବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛି । ୨୦୧୪ ରେ ବିଜେପି ସରକାରକୁ ଆସିବା ପୂର୍ବରୁ ଯେଉଁ ବାର୍ଷିକ ୨ କୋଟି ରୋଜଗାର ଦେବାର ପ୍ରତିଶ୍ରତି ଦେଇଥିଲେ ତାହାକୁ ନେଇ ପାଣ୍ଡିଆନ ବିଜେପିକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି, ଦେଶରେ ବାର୍ଷିକ ୨ କୋଟି ରୋଜଗାର ମଳୁଥିଲେ ଏବେ ରାଜ୍ୟରେ ୮୦ ଲକ୍ଷ ଯୁବକଙ୍କୁ ଚାକିରି ମିଳିଥାନ୍ତା । ହେଲେ ବିଜେପି ତାହା ପୁରଣ କରିନାହିଁ । ତେଣୁ ଚଳିତ ନିର୍ବାଚନରେ ବି ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୂଆଁ ବୋଲାଉଥିବା କଥା ପାଣ୍ଡିଆନ କହିଛନ୍ତି ।ସେପଟେ ଫୁଲବାଣୀର ଆଦିବାସୀ ସଂପ୍ରଦାୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପାଣ୍ଡିଆନ । ପାଣ୍ଡିଆନ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇ ଭଉଣୀମାନଙ୍କୁ ବହୁତ ଭଲ ପାଆନ୍ତି । ତେଣୁ ଆଦିବାସୀ ଭାଇଭଉଣୀଙ୍କ ଉପରେ ଥିବା ୫୦ ହଜାର ମାମଲା ରଦ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା କଥା ପାଣ୍ଡିଆନ କହିଛନ୍ତି । ଜିଲ୍ଲାରେ ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏଡିସି କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଅନେକ ଜନହିତକର କାର୍ଯ୍ୟକୁ ମନେ ପକାଇ ଦେଇଛନ୍ତି ପାଣ୍ଡିଆନ । ସବୁଠାରୁ ବଡ କଥା ହେଉଛି ଫୁଲବାଣୀର ହଳଦୀ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଭଲରିଂ ଫଣ୍ଡ ମାଧ୍ୟମରେ କୋଟି କୋଟି ଟଙ୍କା ସହାୟତା ଦେଉଥିବା କଥା ପାଣ୍ଡିଆନ କହିଛନ୍ତି ।