ମଣ୍ଡପରେ ମହାମାୟାଙ୍କ ମହାନବମୀ
ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ। ଦୁର୍ଗତୀନାଶିନୀଙ୍କ ଆବାହନରେ ପ୍ରକମ୍ପିତ ହେଉଛି ଗଗନ ପବନ। ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ଉଛୁଳି ପଡୁଛି ପରିବେଶ। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡୀପାଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ମହାନବମୀ ପୂଜା ଆରମ୍ଭ ହୋଇଛି। ସକାଳୁ ସକାଳୁ ଶ୍ରଦ୍ଧାଳୁ ବି ପହଁଞ୍ଚିଗଲେଣି । ସେପଟେ ଶକ୍ତିପୀଠରେ ଚାଲିଛି ମହାମାୟାଙ୍କ ଦଶମୀ ପୂଜା । ତେବେ ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଂଚଳ ସିଲଭର ସିଟି କଟକ । ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୁରା ସହର । କଟକ ସହରର ପ୍ରସିଦ୍ଧ ଦଶହରା ପୂଜା ଦେଖିବାକୁ ବିଭିନ୍ନ ସ୍ଥାନରୁ ଏଠି ଜମୁଛି ହଜାର ହଜାର ଲୋକଙ୍କ ଭିଡ଼ । ଅଧିକ ସୁନ୍ଦର ହୋଇଛି ଏଲଇଡିରେ କାର୍ଟୁନ ଓ ମୂର୍ତ୍ତି । ଡ୍ରାଗନ୍, ପ୍ରଜାପତି, ମାଛ ଓ ହଂସ ଭଳି ବିଭିନ୍ନ ଲାଇଟ୍ କାର୍ଟୁନ୍ ରେ ଚଳିତବର୍ଷ ଲାଇଟ୍ ଗେଟ୍ ତିଆରି କରିଛନ୍ତି ପୂଜା କମିଟି କର୍ମକର୍ତ୍ତା । ଚହଟା ଛକ, ଖାନନଗର, ରାଣୀହାଟ, କଲେଜ ଛକ, ଯୋବ୍ରା, ବଜ୍ରକବାଟି ଆଦି ସ୍ଥାନରେ ଆକର୍ଷଣୀୟ ଲାଇଟ ଗେଟ୍ ନିର୍ମାଣ ହୋଇଛି। ଆକର୍ଷଣୀୟ ତୋରଣ ସାଂଗକୁ ସୁନା ଚାନ୍ଦି ମେଢ ଦେଖିବାକୁ ଜମୁଛି ଦର୍ଶକଙ୍କ ଭିଡ଼।