ରୋଗୀଙ୍କୁ ଠକି ବନ୍ଧା ହେଲେ ନକଲି ଡାକ୍ତର

ପଢ଼ିଛନ୍ତି +2, କାମ କିନ୍ତୁ ଡାକ୍ତର

ପାଠପଢିଛନ୍ତି ଯୁକ୍ତ ଦୁଇ ପର୍ଯ୍ୟନ୍ତ । କିନ୍ତୁ କାମ କରୁଛନ୍ତି ଏମବିବିଏସ୍ ପାଠର । ହେଲେ ନିଜକୁ ଦିଲ୍ଲୀ ଓ ଭୁବନେଶ୍ୱର ଏମ୍‌ସର ଅଭିଜ୍ଞ ଡାକ୍ତର କହି ରୋଗୀଙ୍କୁ ଠକୁଥିଲେ ଆଉ ଏବେ ଧରାପଡି ଗଲେ ଜେଲ୍ । ବିଭିନ୍ନ ସ୍ଥାନରେ କ୍ଲନିକ କରି ରୋଗୀଙ୍କ ଚିକିତ୍ସା ଆଳରେ ରୋଜଗାର କରୁଥିଲେ ମୋଟା ଅଙ୍କର ଟଙ୍କା । ବିଳାସ ବେସନରେ କାଟୁଥିଲେ ଦିନ । ହେଲେ ହଠାତ୍ ଖୋଲିଗଲା ତାଙ୍କର ମିଛ ପେଡ଼ି । ସେ ଦେଇଥିବା ମେଡିସିନ୍ ଖାଇ ଜଣେ ରୋଗୀ ଗୁରୁତର ହୋଇପଡ଼ିଥିଲେ। ପରେ ତାଙ୍କର ଅଭିଯୋଗ ଆଧାରରେ ଏହି ନକଲି ଡାକ୍ତରଙ୍କୁ ବାନ୍ଧିଥିଲା ପୋଲିସ। ଗିରଫ ନକଲି ଡାକ୍ତରଙ୍କ ନାଁ ଶୁଭ୍ରଜିତ ପଣ୍ଡା । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁରେ । ନକଲି ଡାକ୍ତର ଶୁଭ୍ରଜିତ ନିଜକୁ ଜଣେ ଅଭିଜ୍ଞ ଡାକ୍ତର ଭାବେ ବୋର୍ଡ ମାରି ରୋଗୀଙ୍କୁ ଚିକିତ୍ସା କରୁଥିଲେ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତ।ରେ ତାଙ୍କର ଏକ ଘରୋଇ କ୍ଲନିକ ଥିବାବେଳେ କଟକ ରାଣୀହାଟରେ ମଧ୍ୟ ତାଙ୍କର ଏକ ଘରୋଇ କ୍ଲନିକ ରହିଛି । ପ୍ରତି ରୋଗୀ ପିଛା ୩୦୦ ଟଙ୍କା ଫିସ୍‌ ନେଉଥିଲେ। ପ୍ରତିଦିନ ତାଙ୍କ ପାଖରେ ରୋଗୀଙ୍କର ଭିଡ଼ ଜମୁଥିଲା। କିଛି ଦିନ ତଳେ ଡେଙ୍ଗାଉସ୍ତ।ରେ ରହୁଥିବା ଜଣେ ବୃଦ୍ଧାଙ୍କୁ ଜ୍ୱର ହୋଇଥିଲା। ପରିବାର ଲୋକେ ବୃଦ୍ଧାଙ୍କୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ। ସେ ବୃଦ୍ଧାଙ୍କର ଚିକିତ୍ସା କରିଥିଲେ। ହେଲେ ବୃଦ୍ଧାଙ୍କ ଦେହ ଆଦୌ ଭଲ ହୋଇ ନଥିଲା। ବରଂ ଅଧିକ ଗୁରୁତର ହୋଇଥିଲା। ଏନେଇ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ। ପରେ ବୃଦ୍ଧାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ନେଇଥିଲେ। ସେଠାରେ ବୃଦ୍ଧାଙ୍କର କିଡ୍‌ନୀ ଖରାପ ଥିବା ଜଣାପଡ଼ିଥିଲା। ହେଲେ ନକଲି ଡାକ୍ତର  ଶୁଭ୍ରଜିତ ପଣ୍ଡା ଏନେଇ ବୃଦ୍ଧାଙ୍କ ପରିବାରକୁ କିଛି କହି ନଥିଲେ। ବରଂ ବାର ବାର ମେଡିସିନ୍ ଲେଖି ଚାଲିଥିଲେ। ଉପଯୁକ୍ତ ଚିକିତ୍ସା ନ କରିବାରୁ ବୃଦ୍ଧାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏନେଇ ବୃଦ୍ଧାଙ୍କ ପରିବାର ଲୋକେ ବ୍ରହ୍ମପୁର ଏସପିଙ୍କ ନିକଟରେ ଶୁଭ୍ରଜିତ ପଣ୍ଡାଙ୍କ ନାଁରେ ଅଭିଯୋଗ କରିଥିଲେ। ବ୍ରହ୍ମପୁର ଏସପି ଏକ ଟିମ୍‌ ଗଠନ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ। ଖୋଳତାଡ ବେଳେ ଶୁଭ୍ରଜିତଙ୍କୁ ୨୦୨୦ ମସିହା ଫ୍ରେବୃଆରୀ ମାସରେ ତେଲେଙ୍ଗାନା ପୋଲିସ  ଗିରଫ କରିଥିବା ଜଣାପଡ଼ିଥିଲା। ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ବୋଲି କହି ଡାକ୍ତର ସମ୍ମିଳନୀରେ ଯୋଗଦେଇଥିବାରୁ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଥିଲା। ବ୍ରହ୍ମପୁର ଏସପି ଏହା ଜାଣିବା ପରେ ଅଧିକ ଖୋଳତାଡ଼ ଆରମ୍ଭ କରିଥିଲେ।