ନିଆଁ ଲଗାଇ ପୋଡ଼ିଦେଲେ ୧୨ଗାଡ଼ି, ବର୍ତ୍ତିଗଲେ କର୍ମଚାରୀ !
ଫାଇନାନ୍ସ କମ୍ପାନୀରେ ନିଆଁ ଲଗାଇ ଦେଲେ ଦୁବୃର୍ତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରିରେ ଥିବା ଫାଇଲାନ୍ସ କମ୍ପାନୀରେ। ସୂଚନା ଅନୁଯାୟୀ ରାତିଅଧରେ ଫାଇନାନ୍ସ କମ୍ପାନୀ ଭିତରକୁ କିଛି ଦୁର୍ବୃତ୍ତ ପଶି କର୍ମଚାରୀଙ୍କୁ ବାହାରୁ କବାଟଦେଇ ଜାଳି ଦେଲେ ୧୨ଟି ବାଇକ୍ । ଯାହାକୁ ନେଇ ସ୍ଥାନିୟରେ ଚାଞ୍ଚଲ୍ୟ ଖେଳିଯାଇଛି । ଏପରି ଘଟଣା ପରେ ଟିକିରି ଥାନାରେ ଅଭିଯୋଗ ହୋଇଛି। ପୁରା ଖବର ଅନୁଯାୟୀ ଗତକାଲି ରାତି ପ୍ରାୟ ୨ଟା ସମୟରେ ଫାଇନାନ୍ସ ଅଫିସ ସମ୍ମୁଖରେ ଥିବା ୧୨ଟି ବାଇକରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଅଫିସ ଭିତରେ ଶୋଇଥିବା କର୍ମଚାରୀମାନେ ପୋଡ଼ା ଗନ୍ଧ ହେବାରୁ ଝରକା ଖୋଲି ଦେଖିଥିଲେ।
ବାଇକ୍ ଗୁଡ଼ିକ ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ। ପରେ କର୍ମଚାରୀମାନେ ବାଇକରେ ଲାଗିଥିବା ନିଆଁକୁ ଲିଭାଇବାକୁ ଅଫିସ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ। ହେଲେ ଦୁର୍ବୃତ୍ତମାନେ ବାହାର ପଟୁ କବାଟ ବନ୍ଦ କରି ଦେଇଥିଲେ। ସ୍ଥାନୀୟ ଲୋକେ ଆସି ନିଆଁକୁ ଆୟତ୍ତ କରିଥିଲେ। ଅଫିସ ଭିତରେ ୫ ଜଣ କର୍ମଚାରୀ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଏନେଇ ଟିକିରି ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି । ତେବେ ଦୁବୃର୍ତ୍ତ ମାନେ କିଏ ଓ କାହିଁକି ଏପରି କଲେ ତାର କାରଣ ଏଯାଏଁ ସ୍ପଷ୍ଟ ହୋଇନି ।