ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ
ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜର୍ମାନୀ ପ୍ରସ୍ତୁତ ମାରିଜୁଆନା ଜବତ। ବିସ୍କୁଟ ପ୍ୟାକେଟରେ ବେଶ ଚତୁରତାର ସହ ଜର୍ମାନୀ ପ୍ରସ୍ତୁତ ନିଶାଦ୍ରବ୍ୟ ମାରିଜୁଆନା ଆଣିଥିଲେ କେରଳ ଯୁବକ । ଏନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ଡିଆରଆଇ ଟିମ ଓ କଷ୍ଟମ ବିଭାଗ ଚଢାଉ କରି ବିମାନବନ୍ଦରରୁ ଯୁବକଙ୍କ ଠାରୁ ମାରିଜୁଆନା ଜବତ କରିଥିଲେ । ଜବତ ନିଶା ଦ୍ରବ୍ୟର ଓଜନ ପାଖାପାଖି ୪ କିଲୋ ରହିଥିବା ବେଳେ ଏହାର ଦାମ ୪ କୋଟି ଟଙ୍କା ଆକଳନ କରାଯାଇଛି। ଚାଲାଣକାରୀକୁ ଅଟକ ରଖି ପଚରାଉଚରା କରାଯାଉଛି। ପ୍ରାଥମିକ ସୂଚନାନୁସାରେ, ଏହି ଅଣଓଡ଼ିଆ ଯୁବକଜଣକ ଏକ ଏଜେନ୍ସି ପାଇଁ କାମ କରୁଛି। ତାଙ୍କୁ ଚାଲାଣକାରୀ ଭାବେ ନିଯୁକ୍ତି ମିଳିଛି ଏବଂ ଅଗ୍ରିମ ଆକାରରେ ସେ କିଛି ଟଙ୍କା ପାଇଛନ୍ତି ଏବଂ ଭାରତରେ ମାରିଜୁଆନା ପହଞ୍ଚାଇବା ପରେ ତାଙ୍କୁ ତାଙ୍କର ପୂରା ପ୍ରାପ୍ୟ ମିଳିବାର ଥିଲା। ମାତ୍ର ଉକ୍ତ ଏଜେନ୍ସି କିଏ, ସେମାନେ କେଉଁଠିକୁ ନିଶା ପଠାଉଥିଲେ, ଯୁବକଙ୍କଠାରୁ କିଏ ନିଶା ଗ୍ରହଣ କରିଥାନ୍ତା, ସେନେଇ କିଛି ତଥ୍ୟ ପଦାକୁ ଆସିପାରିନାହିଁ। ଏହା ଏକ ବଡ଼ ନେଟ୍ୱର୍କ ହୋଇଥିବାରୁ ଡିଆର୍ଆଇ ସ୍କ୍ବାଡ୍ ସତର୍କତାର ସହ ତଦନ୍ତ ଜାରି ରଖିଛି। ଗତଥର ପଶ୍ଚିମବଙ୍ଗର ୨ ମହିଳାଙ୍କଠାରୁ ପ୍ରାୟ ୧୦ କେଜି ଗଞ୍ଜେଇ ଜବତ କରାଯାଇଥିଲା।
