ବୈତରଣୀରେ ବନ୍ୟା , ଆତଙ୍କିତ ଲୋକେ !
ବର୍ଷା ଯୋଗୁଁ ରାଜ୍ୟରେ ଦେଖା ଦେଇଛି ବନ୍ୟା ସ୍ଥିତି । ଲଗାଣ ବର୍ଷା ପ୍ରଭାବରେ ବୈତରଣୀରେ ବନ୍ୟା ଆସିଛି । ବନ୍ୟା ଯୋଗୁଁ ବୈତରଣୀର ପାଣି କୂଳ ଲଙ୍ଘି ତଳିଆ ଗାଁ ଗଣ୍ଡାରେ ପଶିଛି । ଯେଉଁଥି ପାଇଁ ଭୟଭୀତ ହୋଇପଡିଛନ୍ତି ନଦୀକୂଳିଆ ଅଧିବାସୀ । ତେବେ ବୈତରଣୀରେ ବନ୍ୟା ଆସିବା ପରେ ବିଶେଷ କରି ଯାଜପୁର ଓ ଭଦ୍ରକ ଅଞ୍ଚଳରେ ସ୍ଥିତି ସଙ୍ଗିନ ହୋଇଛି । ଗତକାଲିଠୁ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ରାଜଘାଟ ଓ ଆଖୁଆପଦାଠାରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ଭଣ୍ଡାରିପୋଖରୀରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଦେଖିବାକୁ ମିଳିଛି ।
ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସରକାରୀ. ବେସରକାରୀ ସ୍କୁଲ ସମେତ ଅଙ୍ଗନୱାଡି କେନ୍ଦ୍ରକୁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସୂଚନା ଅନୁସାରେ ଆଜି ସକାଳେ ଆଖୁଆପଦା ଆନିକଟଠାରେ ଵୈତରଣୀ ନଦୀର ଜଳସ୍ତର ୧୯.୮୮ମିଟର ରହିଛି। ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଏବେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର। ଏପଟେ ବନ୍ୟା ଜଳ ଧିରେ ଧିରେ ଚାଷ ଜମିକୁ ମାଡି ଚାଲିଛି। ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ରହଣିଆ, ମାଳଦା, ନପଙ୍ଗ, କୁରିଗାଁ, ବନ୍ଦୋଳ ମଢିଆଳି ଓ ଝୁଟଣା ଆଦି ପଞ୍ଚାୟତ ସମେତ ଆଖପାଖ ପଞ୍ଚାୟତ ଜଳାର୍ଣ୍ଣବ ହୋଇଛି।
ବୈତରଣୀ ନଦୀ ଫୁଲୁଥିବାରୁ ଏହାର ଶାଖା ନଦୀରେ ମଧ୍ୟ ଜଳ ପ୍ରବାହିତ ହେଉଛି । ଏହା ପ୍ରଭାବରେ ଯାଜପୁର ଜିଲ୍ଲା କୋରେଇ ବ୍ଲକର ରଣପୁର ଗୌରପୁର, ମୁକୁନ୍ଦପୁର, ବନ୍ଦାଳ, ମୁଳାପାଳ ପଞ୍ଚାୟତର ଏକାଧିକ ଗାଁ ଜଳ ମଗ୍ନ ହୋଇଛି। ତେଣୁ ଉଚ୍ଚ ସ୍ଥାନରେ ଆଶ୍ରୟ ନେବାକୁ ଲୋକଙ୍କୁ ସଚେତନ କରିଛି ବ୍ଲକ ପ୍ରଶାସନ। ପାଣି ପଶିଯିବାରୁ ଫସଲ ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଲୋକଙ୍କୁ ଉଦ୍ଧାର ନିମନ୍ତେ ଓଡ୍ରାଫ ଓ ଏଣ୍ଡିଆରଏଫ ସଜାଗ ଥିବା ଦେଖିବାକୁ ମିଳିଛି ।