କଟକ ଦୁର୍ଗାପୂଜା ଭସାଣୀ ଉପରେ ନଜର ରଖିବ ଡ୍ରୋନ
କଟକ ଦୁର୍ଗାପୂଜା ଭସାଣୀ ଉପରେ ନଜର ରଖିବ ଡ୍ରୋନ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପରି ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଭସାଣୀ ରୁଟରେ ନଜର ରଖିବ ମୋଟ ୫ ଶହରୁ ଅଧିକ ସି ସି ଟିଭି କ୍ୟାମେରା । ଏକାଧିକ କଣ୍ଟ୍ରୋଲ ରୁମ୍ ଜରିଆରେ ସିସି ଟିଭିଗୁଡିକରୁ ମିଳୁଥିବା ଭିଜୁଆଲ ଉପରେ ନଜର ରଖିବ ପୋଲିସ।ପ୍ରଥମ ଥର ପାଇଁ “CTC 60” ନାମରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ବିଶେଷ କରି ଶବ୍ଦ ପ୍ରଦୂଷଣ ବା ୬୦ ଡେଶିବଲ୍ ରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ଶୋଭାଯାତ୍ରା ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ଏହି “CTC 60” ପୋଲିସ ଟିମ୍। ପୋଲିସ ପକ୍ଷରୁ ସାଉଣ୍ଡ ବାବଦରେ କୌଣସି ବ୍ୟତିକ୍ରମ ଦେଖା ଦେଲେ, ଗୋଟିଏ ଥର ପାଇଁ କୁହାଯିବ। ନ ମାନିଲେ ସମସ୍ତ ସାଉଣ୍ଡ ଯନ୍ତ୍ରାଂଶ ଜବତ୍ କରିବା ସହିତ ମାମଲା ରୁଜୁ କରିବ କମିଶନରେଟ ପୋଲିସ।ସହରରେ ନିୟୋଜିତ ହେବେ ମୋଟ ୧୨୫ ପ୍ଲାଟୁନ ପୋଲିସ ଫୋର୍ସ । ଏହା ଭିତରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମେଢ଼ ସହିତ ରହିବେ। ସହରର ବିଭିନ୍ନ ସ୍ଥାନରେ ମୋଟ ୬୦ ଟି ଏଡ ପୋଷ୍ଟ ରହିବ। ଦେବୀଗଡା ନିକଟରେ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ଆସନ୍ତାକାଲି ସକାଳ ୮ ଟାରେ ନିଜ ନିଜ ଭସାଣୀ ଶୋଭାଯାତ୍ରା ବାହାର କରିବାକୁ ପୂଜା କମିଟିଗୁଡ଼ିକୁ ଅନୁରୋଧ କରାଯାଇଛି । ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସହଯୋଗ କରିବାକୁ ଅପିଲ କରୁଛି କମିଶନରେଟ୍ ପୋଲିସ ।
