କେବେ ସମାଜରୁ ସରିବ ଅନ୍ଧବିଶ୍ବାସ

ଗୁଣିଆ ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

ଅନ୍ଧବିଶ୍ୱାସର ଅନ୍ଧାରୀଗଳିରୁ ବାହାରିପାରୁନି ଏ ମଣିଷ । ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣଆ ଘଟି ଗଡୁଛି ନିରୀହଙ୍କ ମୁଣ୍ଡ । କୁସଂସ୍କାରର ଜାଲ ଭିତରେ ଛନ୍ଦି ହୋଇ ମଣିଷ ରକ୍ତରେ ମଣିଷ ଖେଳୁଛି ହୋଲି । ଏପରି ଘଟିଛି ଗଜପତି ଜିଲ୍ଲାର ଅଡବା ଥାନା ଅନ୍ତର୍ଗତ ଘୋଡ଼ାପଙ୍କା ଗାଁରେ । ଏହି ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତ ଦମ୍ପତି ହେଲେ କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକ । ସନ୍ଧ୍ୟା ସମୟରେ କପିଳେନ୍ଦ୍ର ଘରେ ଥିବା ସମୟରେ ଗାଁର କିଛି ଯୁବକ ଘରେ ପଶି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲେ । ଏହି ସମୟରେ କପିଳେନ୍ଦ୍ରଙ୍କ ସ୍ତ୍ରୀ ଘରେ ନଥିଲେ । କିନ୍ତୁ ଅନ୍ୟ ଲୋକଙ୍କ ଠାରୁ ସ୍ୱାମୀଙ୍କ କଥା ଶୁଣି ନିଜ ଘରକୁ ଦୌଡ଼ି ଆସିଥିଲେ । ହେଲେ ଗାଁର ଯୁବକ ଏତେ ହିଂସ୍ର ହୋଇଯାଇଥିଲେ ତାଙ୍କୁ ମଧ୍ୟ ଛାଡ଼ି ନଥିଲେ । ତାଙ୍କୁ ବାଟରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏହି ଘଟଣାରେ ଗାଁର କିଛି ଯୁବକଙ୍କୁ ନେଇ ପୁଲିସ ପଚରାଉଚରା କରୁଛି ।  ଗତ ଫେବୃୟାରୀ ମାସରେ ମଧ୍ୟ କପିଳେନ୍ଦ୍ରଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଗୁଣିଗାରେଡି ସନ୍ଦେହରେ ତାଙ୍କ ଉପରକୁ ଗୁଣିମାଡ଼ ହୋଇଥିବା ଜଣାପଡ଼ିଥିଲା । କପିଳେନ୍ଦ୍ରଙ୍କ ଗୁଣିଗାରେଡି କରନ୍ତି ବୋଲି ଗ୍ରାମବାସୀ ସନ୍ଦେହ କରୁଥିଲେ।