ଶ୍ରୀମନ୍ଦିରକୁ ଯାଉଥିଲେ ପିନ୍ଧନ୍ତୁନି ଏହି ପୋଷାକ !

ଶ୍ରୀମନ୍ଦିରରେ ଅଶ୍ଳୀଳତାକୁ ନା !

ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନରେ ଲାଗିଛି କଟକଣା । ଅଶ୍ଳୀଳ ପୋଷାକ ପରିଧାନ କରି ମନ୍ଦିର ଭିତରକୁ ଯାଇପାରିବେନି ଭକ୍ତ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କେଉଁ ପୋଷାକ ପିନ୍ଧି ଆପଣ ମନ୍ଦିର ଭିତରକୁ ପ୍ରବେଶ କରିପାରିବେନି। ତେବେ ହାଫ୍ ପ୍ୟାଣ୍ଟ, ଚିରାଫଟା ପୋଷାକ, ମିନି ଡ୍ରେସ୍ ଆଦି ପିନ୍ଧି କେହି ବଡ଼ଦେଉଳରେ ପ୍ରବେଶ କରିପାରିବେ ନାହିଁ । ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ସଚେତନ କରିବେ ଜେଟିପି । ଜେଟିପି ମାନେ ଆଚରଣ, ଉଚ୍ଚାରଣ ଓ ବ୍ୟବହାର ଠିକ ରଖି ପର୍ଯ୍ୟଟକ ଓ ଭକ୍ତଙ୍କୁ ସଚେତନ କରିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ସବୁ ସେବାୟତ ନିଯୋଗ ଓ ହୋଟେଲର ସହଯୋଗ ନିଆଯାଇଛି । ସମସ୍ତେ ସଚେତନ ହେଲେ ଏ ପ୍ରକ୍ରିୟା ସଫଳ ହେବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି ।

ଅନାବଶ୍ୟକ ଭାବେ ଶରୀର ପ୍ରଦର୍ଶନ କରୁଥିବା ପୋଷାକ କିମ୍ବା ଧାର୍ମିକ ଭାବନକୁ କୁଠାରଘାତ କଲା ଭଳି ପୋଷାକ ବର୍ଜନୀୟ ବୋଲି ଗାଇଡ଼ଲାଇନ୍‌ରେ ଦର୍ଶାଯାଇଛି। ପ୍ରତ୍ୟେକ ସ୍ତରରେ ଏବେଠୁ ସଚେତନତା ସୃଷ୍ଟି ସହ ଆସନ୍ତା ନୂଆବର୍ଷଠାରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ ପାଇଁ ଦିଆଯାଇଛି ନିର୍ଦ୍ଦେଶ। ଏଥିନିମନ୍ତେ ଏବେଠୁ ବିଭିନ୍ନ ସ୍ତରରେ ଲୋକଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡ଼ିଲାଣି ପୁରୀ ମନ୍ଦିର ପ୍ରଶାସନ। ଏ ସଂପର୍କରେ ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯିବା ସହ ଆସନ୍ତା ନୂଆବର୍ଷଠାରୁ ଏହାକୁ ଯେପରି କଡ଼ାକଡ଼ି ଭାବେ ଲାଗୁ କରାଯିବ, ସେଦିଗରେ ପଦକ୍ଷେପ ନେବାକୁ ସମସ୍ତ ନିଯୋଗର ସଭାପତି, ସମ୍ପାଦକ ଏବଂ ହୋଟେଲ ମାଲିକଙ୍କୁ ଚିଠି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ନିୟମ ଲାଗୁ ହୋଇନି, ବିବେକ ଅନୁସାରେ ଶାଳୀନତା ପୋଷାକ ପିନ୍ଧନ୍ତୁ ବୋଲି ଚିଠିରେ ଦର୍ଶାଯାଇଛି। ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ସବୁ ନିଯୋଗ ଓ ହୋଟେଲକୁ ଚିଠି ଲେଖିଛନ୍ତି ମୁଖ୍ୟ ପ୍ରଶାସକ। ଏଭଳି ନୀତି ନିୟମ ଭକ୍ତଙ୍କୁ ଏକ ଆଶ୍ଵାସନା ଏଇଥିବା ଦେଖିବାକୁ ମିଳିଛି ।