NHRCରେ ହୋମଗାର୍ଡ ଆତ୍ମହତ୍ୟା ଘଟଣା, ଡିଆଇଜି ଦେବେ ୩୦ଲକ୍ଷ !

ଡିଆଇଜିଙ୍କ ପତ୍ନୀଙ୍କ ଅତ୍ୟାଚାର ପାଇଁ କରିଥିଲେ ଆତ୍ମହତ୍ୟା ଉଦ୍ୟମ

ନିର୍ଯାତନା ଅସହ୍ୟ ନେଇ ଟ୍ରେନ୍‌ ଆଗକୁ ଡେଇଁ ନିଜ ଦୁଇ ଗୋଡ଼ ହରାଇଥିବା ହୋମଗାର୍ଡଙ୍କ ଘଟଣା । ଜାତୀୟ ମାନବାଧିକାର କମିଶନରେ ଦାୟର ହେଲା ଏତଲା । ମାନବାଧିକାର କର୍ମୀ ଜୟନ୍ତ ଦାସଙ୍କ ପକ୍ଷରୁ NHRCରେ ଏହି ଏତଲା ଦିଆଯାଇଛି । ଘଟଣା ଅନୁସାରେ ପ୍ରତିମୁହୂର୍ତ୍ତରେ ଡିଆଇଜିଙ୍କ ପତ୍ନୀ ହୋମଗାର୍ଡ ସୈରିଦ୍ରୀ ସାହୁଙ୍କୁ ଅତ୍ୟାଚାର କରୁଥିଲେ । ଅତ୍ୟାଚାର ଏତେ ମାତ୍ରାରେ ବଢି ଯାଇଥିଲା କି ସହ୍ୟ କରିପାରିନଥିଲେ ସୈରିଦ୍ରୀ । ବାଧ୍ୟ ହୋଇ ନେଇଥିଲେ ଚରମ ନିଷ୍ପତ୍ତି । ଆଉ ଚଳନ୍ତା ଟ୍ରେନ ଆଗକୁ ଡେଇଁ ପଡିଲେ ।

ସୌଭାଗ୍ୟ ବଶତଃ ବଞ୍ଚିଗଲେ ସିନା କିନ୍ତୁ ଦୁଇ ଗୋଡ଼ ହରାଇଲେ ସୈରିଦ୍ରୀ । ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରୁଥିବା ବେଳେ ହି ଘଟଣାରେ ହସ୍ତକ୍ଷେପ କରିଛି ଜାତୀୟ ମାନବାଧିକାର କମିଶନ । ଏପରି ଅମାନୁଷିକ କାଣ୍ଡ ପାଇଁ ଡିଆଇଜି ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତା ହୋମଗାର୍ଡଙ୍କୁ ୩୦ ଲକ୍ଷ କ୍ଷତିପୂରଣ ଦେବାକୁ ବି ଅପିଲ୍ କରାଯାଇଛି। କ୍ଷତିପୂରଣ ରାଶି ଡିଆଇଜିଙ୍କ ଦରମାରୁ କାଟିବା ପାଇଁ ଏତଲାରେ ଆବେଦନ ହୋଇଛି ।

ରାଜ୍ୟ ପୁଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ତାଙ୍କ ଘରେ ନିୟୋଜିତ ହୋମଗାର୍ଡ ସୈରିଦ୍ରୀ ସାହୁଙ୍କୁ ସବୁବେଳେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏପରିକି ଚାକିରି ନେଇ ଯିବାର ଧମକ ଦେଇ ଗତ ୪ ତାରିଖରେ ଗଳା ଧକ୍କା ଦେଇ ବାହାର କରି ଦେଇଥିଲେ। ଏହାପରେ ସୈରିଦ୍ରୀ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ନିଜ ଦୁଇଟି ଯାକ ଗୋଡ ହରାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଉଛି ।