ରାଉରକେଲାରେ କାୟା ମେଲାଉଛି ଡାଇରିଆ

ଡାଇରିଆ ବ୍ୟାପିବା ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

ରାଉରକେଲାରେ ବ୍ୟାପିଥିବା ଡାଇରିଆ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା । ସେ କହିଛନ୍ତି, ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଛି । ୫୯୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୩୪୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଥିମଧ୍ୟରୁ ୧୪୫ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ରବିବାର ସନ୍ଧ୍ୟା ସୁଦ୍ଧା ୧୬୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ୨୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଗୋଟିଏ ସ୍ଥାନରୁ ନୁହେଁ ୧୨ ରୁ ୧୪ ଟି ୱାର୍ଡରୁ କେସ ଆସୁଛି । ସେଥିପାଇଁ ୬ଟି ରାପିଡ ରେସପନ୍ସ ଟିମ ନିୟୋଜିତ ହୋଇଛନ୍ତି । ସୁନ୍ଦରଗଡ଼ ମେଡିକାଲ କଲେଜରୁ ୪ ଜଣ ଫ୍ୟାକଲିଟିଙ୍କୁ ନିୟୋଜିତ କରାଯାଇଛି । ସିଡିଏମଓଙ୍କ ତରଫରୁ ୪ ଜଣ ଜୁନିଅର ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ୧୨ ଜଣ ଷ୍ଟାଫ୍ ନର୍ସଙ୍କୁ ସେଠାକୁ ପଠାଯାଇଛି । ଦୁଇ ଟେକ୍ନିସିଆନଙ୍କୁ ପଠାଯାଉଛି । ସେଠାରେ ଆବଶ୍ୟକୀୟ ଔଷଧ ସରଞ୍ଜାମ ମହଜୁଦ ଅଛି । ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, ଜିଲ୍ଲାପାଳ ସ୍ଥିତିର ସମୀକ୍ଷା କରିଛନ୍ତି। ପାଣି ପାଇଁ ଏମିତି ଝାଡ଼ା ବାନ୍ତି ବ୍ୟାପିଛି। ଲୋକ ବି କିଛି ଦିନ ପାଣିକୁ ନେଇ ଅଭିଯୋଗ କରିଥିଲେ। ଜଳବାହିତ ରୋଗ ବୋଲି ପ୍ରାଥମିକ ପର୍ଯ୍ୟାୟରୁ ଜଣା ପଡ଼ୁଛି । ପାଣିରେ କ୍ଲୋରିନ କମ୍ ରହିଛି। ପାଣିରେ କ୍ଲୋରିନ ପରିମାଣ ବଢ଼େଇବା ପାଇଁ ଜିଲ୍ଲାପାଳ ୱାଟକୋକୁ ନିର୍ଦ୍ଦେଶ ଦେଇଛନ୍ତି। ୱାଟର ଟ୍ୟାଙ୍କ ସଫା କରିବା, ପାଣି ନାଳ ବିଶୋଧନ କରିବା, ଟ୍ୟାଙ୍କରୁ ପାଣି ନେଇ ପରୀକ୍ଷା କରାଇବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।