ରାଉରକେଲାର ପିଛା ଛାଡୁନି ଡାଇରିଆ

ଡରାଉଛି ଡାଇରିଆ, ଗଲାଣି ୭ ଜୀବନ

ରାଉରକେଲାରେ ଡାଇରିଆରେ ବଢିଚାଲିଛି ମୃତକଙ୍କ ସଂଖ୍ୟା । ଆକ୍ରାନ୍ତ ହୋଇଥିବା ଆଉ ଦୁଇଜଣ ବ୍ୟକ୍ତିଙ୍କୁ ମିଶାଇ ଏବେ ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଛି । ଆଜିର ମୃତକ ହେଲେ ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ମହମ୍ମଦ ଅସଲମ ଓ ରାଉରକେଲା ଗାନ୍ଧୀରୋଡର ଅତୁଲ କିସାନ । ପୂର୍ବରୁ ଶନିବାର ରାତିରେ ରାଉରକେଲା ରେଳ ଷ୍ଟେସନ୍ ନିକଟ ନୀଳାଚଳ ହୋଟେଲର ମାଲିକ ପ୍ରଣବ କିଶୋର ସ୍ବାଇଁ ଆଖି ବୁଜିଥିଲେ । ସେ ହାଇଟେକ୍ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ ଆଖି ବୁଜିଥିଲେ । ପ୍ରଣବଙ୍କୁ ମିଶାଇ ମୋଟ ୫ଜଣଙ୍କ ଜୀବନ ନେଇଥିଲା ଡାଇରିଆ । ଗତ ଶୁକ୍ରବାର ଓ ଶନିବାର ଦୁଇଦିନରେ ୨ ବୃଦ୍ଧା, ଜଣେ ମହିଳାଙ୍କ ସମେତ ମୋଟ ୪ ଜଣ ଏଥିରେ ପ୍ରାଣ ହରାଇଲେଣି । ସେମାନେ ହେଲେ ରାଉରକେଲା ପାନପୋଷର ଗ୍ଲାସନ୍‌ ସାମନ୍ତ, ଉଦିତନଗରର ନାନ୍‌ସି ଦୁ‌ବେ, ପାନପୋଷ ତରକେରାର ଫୁଲତୋଳି ଗୌଡ଼ ଓ ଉଦିତନଗର ଓରାମପଡ଼ାର ଅହଲ୍ୟା ନାୟକ । ଏଣେ ଆଜି ଆରଜିଇଚରୁ ୧୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ହାଇଟେକ ମେଡିକାଲ କଲେଜରେ ୨୫ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ବିଜେପିର ବରିଷ୍ଠ ନେତା ନିହାର ରାୟ ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଦୁହେଁ କହିଛନ୍ତି । ସେପରି ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମଧ୍ୟ ଆରଜିଏଚରେ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି।