ତେଜିଲା ମନୋଜ ମିଶ୍ର ଓ ବବି ଇସଲାମଙ୍କ କଳି
ତେଜିଲା ମନୋଜ ମିଶ୍ର ଓ ବବି ଇସଲାମ କଳି, ଡିସିପି ଅଫିସରେ ହାତାହାତି ହେଲେ ଦୁଇ ଅଭିନେତା । ପୋଲିସ ଉପସ୍ଥିତିରେ ଡିସିପି ଅଫିସ୍ ସମ୍ମୁଖରେ ହାତ ହାତୀ ହେଉଥିବାର ଦୃଶ୍ୟ ଏବେ ଭାଇରାଲ ହେଉଛି । ତେବେ କଳିରେ ସାମିଲ ହେଲେ ଓଲିଉଡ ଇଣ୍ଡଷ୍ଟ୍ରିର ଅନ୍ୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ । ବବି ତାଙ୍କୁ ରାଣ୍ଡିପୁଅ କହିବାକୁ ନେଇ କ୍ଷୁବ୍ଧ ହେଲେ ମନୋଜ ମିଶ୍ର । ଆଜି ଡିସିପି ଅଫିସକୁ ଆସିଥିବା ବେଳେ ବବି ଇସଲାମ ଏହି ଟିପ୍ପଣି କରିଥିଲେ ବୋଲି ଅଭିଯୋଗ କରିଛନ୍ତି ମନୋଜ ମିଶ୍ର । ଏହାକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା । ସ୍ଥିତି ଏମିତି ବିଗିଡ଼ିଗଲା ଯେ, ଚରମସୀମାରେ ପହଞ୍ଚିଥିଲା ବିଶୃଙ୍ଖଳା । ଉଭୟ ମନୋଜ ମିଶ୍ର ଏବଂ ବବି ଇସଲାମଙ୍କ ମଧ୍ୟରେ ବାକ୍ ଯୁଦ୍ଧ ସହ ହାତାହାତି ସ୍ଥିତି ଉପୁଜିଥିଲା । ଶେଷରେ ଉଭୟେ ଡିସିପି ଅଫିସରୁ ବାହାରି ସିପି ଅଫିସରେ ପହଞ୍ଚିଥିଲେ । ସେଠାରେ ଉଭୟ ପକ୍ଷକୁ ନେଇ ପୋଲିସ ପ୍ରଶାସନ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରିଥିଲେ ।
ସେପଟେ ମୋର ଉତକ୍ଷିପ୍ତ ହେବାର ଠିକନଥିଲା, ସେଥିପାଇଁ ସମସ୍ତଙ୍କୁ କ୍ଷମା ମାଗୁଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଅଭିନେତା ମନୋଜ ମିଶ୍ର । ମୋତେ ବ୍ୟକ୍ତିଗତ ଭାବେ ବବି ସବୁବେଳେ ଆକ୍ଷେପ କରିଛନ୍ତି, ଏହାକୁ ନେଇ ଅଭିଯୋଗ କରିଛି, ପୋଲିସ ତଦନ୍ତ କରିବ ବୋଲି ଦୋହରାଇଛନ୍ତି ମନୋଜ ।
ମନୋଜ ଜଣେ ଅଭିନେତା, ତେଣୁ ଡିସିପିଙ୍କ ଆଗରେ ଅଭିନୟ କଲେ ବୋଲି ଯୁକ୍ତି ବାଢିଛନ୍ତି ବବି ଇସଲାମ ଓ ଜ୍ୟୋତି ଦାଶ । ମନୋଜ ଜଣେ ଭିଲେନ୍ ବୋଲି ଆଜି ପ୍ରମାଣିତ କଲେ ବୋଲି ବି ଟିପ୍ପଣି କରିଛନ୍ତି । ସେପଟେ ଡିସିପି ପିନାକ ମିଶ୍ର କହିଛନ୍ତି, ଉଭୟଙ୍କ ଅଭିଯୋଗର ଶୁଣାଣି ପାଇଁ ଡିସିପି ଅଫିସ ଡକାଯାଇଥିଲା । ଉଭୟଙ୍କ ବ୍ୟକ୍ତିଗତ ଆକ୍ଷେପ ଥିବାରୁ ପୋଲିସର ହସ୍ତକ୍ଷେପ ନାହିଁ । ସୋସିଆଲ୍ ମିଡିଆ ଆକ୍ଷେପରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଲୁ । କିନ୍ତୁ ଧମକ ଦେବା ଘଟଣାରେ ୨ଟି ଥାନାରେ ମାମଲା ରୁଜୁ ହୋଇଛି । ସାକ୍ଷ୍ୟ ପ୍ରମାଣ ଆଧାରରେ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି ବୋଲି ଡିସିପି କହିଛନ୍ତି ।