ଦଳୀୟ ଘୋଷଣା ପୂର୍ବରୁ ପ୍ରଚାର ବେଳେ ସଙ୍କେତ ଦେଲେ ସାଂସଦ ଜୁଏଲ ଓରାମ

ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ: ଜୁଏଲ ଓରାମ

ରାଉରକେଲା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀପ ରାୟ। ବିଜେପି ଟିକେଟରେ ସେ ଏଠାରୁ ହେବେ ପ୍ରାର୍ଥୀ। ଆଜି ଏଭଳି କିଛି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ଜୁଏଲ ଓରାମ କହିଛନ୍ତି, ଦିଲ୍ଲୀପ ବାବୁଙ୍କ ନାଁ କେନ୍ଦ୍ରୀୟ ନିର୍ବାଚନ କମିଟି ସର୍ଟଲିଷ୍ଟ କରି ରଖିଛନ୍ତି। କେବଳ ତାଙ୍କ କୋର୍ଟ ମାମଲାକୁ ଅପେକ୍ଷା କରାଯାଇଥିଲା। କୋର୍ଟ ମାମଲାରେ ଯଦି ସେ ଜିତିବେ, ତା’ହେଲେ ରାଉରକେଲା ଟିକେଟ ତାଙ୍କୁ ଦିଆଯିବ ବୋଲି କେନ୍ଦ୍ରୀୟ ନିର୍ବାଚନ କମିଟିରେ ଏକରକମର ନିର୍ଣ୍ଣୟ ହୋଇଛି। ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଯେତେବେଳେ ବାହାରିବ ସେତେବେଳେ ଦିଲ୍ଲୀପ ବାବୁଙ୍କ ନାଁ ବାହାରିବ ବୋଲି ଆଶା କରାଯାଉଛି। ଦିନେ ଦୁଇ ଦିନ ଭିତରେ ଏହି ତାଲିକା ବାହାରିବ। କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ୨୦୨୦ ଅକ୍ଟୋବର ୨୬ରେ ଟ୍ରାଏଲ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯିବା ଉପରେ ଦିଲ୍ଲୀ ହାଇକୋର୍ଟ ଗତକାଲି ରହିତାଦେଶ ଜାରି କରିଥିଲେ। ଦିଲ୍ଲୀପଙ୍କୁ ଏହି କୋଇଲା ଦୁର୍ନୀତି ମାମଲାରେ ସିବିଆଇ କୋର୍ଟ ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୧୦ଲକ୍ଷ ଟଙ୍କାର ଜୋରିମାନା କରିଥିଲେ।