ଦୀଘା ମନ୍ଦିର ବିବାଦ, ହସ୍ତକ୍ଷେପ କଲେ ଆଇନ୍‌ମନ୍ତ୍ରୀ

ଦୀଘା ମନ୍ଦିର ପ୍ରତିଷ୍ଠା, ଅନ୍ତରୀଣ ତଦନ୍ତ ନିର୍ଦ୍ଦେଶ ଦେଲେ ଆଇନ୍‌ମନ୍ତ୍ରୀ

ପଶ୍ଚିମବଙ୍ଗର ଦୀଘାରେ ‘ଜଗନ୍ନାଥ ଧାମ’ ଲେଖିବା ପ୍ରସଙ୍ଗରେ ଆଇନ୍‌ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ତରୀଣ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାକୁ ବ୍ୟବସ୍ଥା କରାଯାଉ। କେହି ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡବିଧାନ ମଧ୍ୟ କରାଯାଉ ବୋଲି ସେ ଏକ ଚିଠି ଲେଖିଛନ୍ତି। ମନ୍ତ୍ରୀ ଚିଠିରେ ଉଲ୍ଲେଖ କରି କହିଛନ୍ତି, ଗତ କିଛିଦିନଧରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛି ଦିନ ଧରି ଦ୍ବନ୍ଦାତ୍ମକ ତଥ୍ୟ ସବୁ ଗଣମାଧ୍ୟମରେ ପ୍ରଚାରିତ ହେଉଛି । ପଶ୍ଚିମବଙ୍ଗର ଦୀଘା ଠାରେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ନିର୍ମାଣ, ମନ୍ଦିରର ନାମକୁ ଜଗନ୍ନାଥ ଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ତଥା ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଇତ୍ୟାଦି ବାବଦରେ ଚର୍ଚ୍ଚା ବିଷୟ ସଂପୂର୍ଣ୍ଣ ଅଗ୍ରହଣୀୟ ଅଟେ ଏବଂ ଏଭଳି କଥା ଗୁଡ଼ିକ ଜଗନ୍ନାଥପେପ୍ରେୀ, ଭକ୍ତ ସମାଜ ଓ ଓଡ଼ିଶାର ସାଢ଼େ ଚାରିକୋଟି ଜନତାଙ୍କ ମନରେ କଷ୍ଟ ଦେଇଛି ବୋଲି ଅନୁଭବ ହେଉଛି। ଏହି କାରଣରୁ ସଂପୂର୍ଣ୍ଣ ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ଅନ୍ତରୀଣ ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଏକ ଚିଠି ପ୍ରେରିତ କରିଛି। ଏହି ଘଟଣାରେ ଯଦି କେହି ଦୋଷୀ ସାବ୍ୟସ୍ତ ହେଉଛନ୍ତି ବା ଜ୍ଞାସାରରେ ଥାଇ ଏଭଳି ଘଟଣା ଘଟାଉଛନ୍ତି ସେ ବାବଦରେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଦଣ୍ଡବିଧାନ କରିବାର ପ୍ରାବଧାନ ମଧ୍ୟ କରାଯାଇପାରେ।