ମହଙ୍ଗା ପଡିଲା ଦିଦୀଙ୍କୁ ପ୍ରେମ ନିବେଦନ !

ପ୍ରେମ ନିବେଦନ କରି ଫସିଲେ ଯୁବକ । ଅଙ୍ଗନବାଡି ଦିଦୀଙ୍କୁ ଏକତରଫା ପ୍ରେମ ବିବାହିତ ଯୁବକଙ୍କୁ ମହଙ୍ଗା ପଡ଼ିଲା । ରଙ୍ଗ ନମ୍ବରରେ ଫୋନ କରି ପ୍ରେମ ନିବେଦନ କରିବା ସହ ଖରାପ ମେସେଜ ପଠାଉଥିଲା , ଆଉ ଯେତେବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଲେ ଖାଇଲେ ନିର୍ଦ୍ଧୂମ ଛେଚା। ଏଭଳି ଘଟନା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଥାନା ଘୋଳପୁର ଗାଁରେ। ପରେ ଅଙ୍ଗନବାଡ଼ିଙ୍କ ଦିଦିଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ଜଣଙ୍କ ପରିଚୟ ଜଗନ୍ନାଥ ସ୍ୱାଇଁ ହୋଇଥିବା ବେଳେ ତାଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳରେ।

ସୂଚନାନୁସାରେ, ଘୋଳପୁର ଗାଁର ଅଙ୍ଗନବାଡି ଦିଦିଙ୍କୁ ଜଗନ୍ନାଥ ପ୍ରଥମେ ରଙ୍ଗ ନମ୍ବରରେ ଫୋନ୍ କରିଥିଲେ। ପରେ ତାଙ୍କୁ ଫୋନରେ ପ୍ରେମ ନିବେଦନ କରିଥିଲେ। ଅଙ୍ଗନବାଡି ଦିଦି ଜଗନ୍ନାଥଙ୍କୁ ଏନେଇ ବାରମ୍ବାର ତାଗିଦ କରିଥିଲେ। ହେଲେ ଜଗନ୍ନାଥ ତାଙ୍କ କଥା ଶୁଣି ନଥିଲେ। ବାରମ୍ବାର ତାଗିଦ କରିବା ସତ୍ୱେ ଅଙ୍ଗନବାଡ଼ି ଦିଦିଙ୍କୁ ଫୋନ୍ କରି ହାଇରାଣ କରୁଥିଲେ। ଏହାସହ ଅଶିଳ ମେସେଜ ପଠାଇବା ସହ ବିବାହ କରିବା ପାଇଁ ଧମକ ଦେଉଥିଲେ ଜଗନ୍ନାଥ। ଗୁରୁବାର ଦିନ ଜଗନ୍ନାଥ ହଠାତ୍ ଜଗନ୍ନାଥ ଘୋଳପୁର ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ଯାଇଥିଲେ।

ଜଗନ୍ନାଥଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅଙ୍ଗନବାଡି ଦିଦି। ପରେ ଜଗନ୍ନାଥ ଅଙ୍ଗନବାଡି ଦିଦିଙ୍କୁ ସେଇଠାରେ ପ୍ରେମ ନିବେଦନ କରିବା ସହ ତାଙ୍କୁ ଟଣା ଓଟରା କରିଥିଲେ । ଅଙ୍ଗନବାଡି ଦିଦିଙ୍କ ପାଟି ଶୁଣି ରୁଣ୍ଡ ହୋଇଥିଲେ ଗ୍ରାମବାସୀ ।ଆଉ ଜଗନ୍ନାଥଙ୍କୁ ନିର୍ଧୂମ ପିଟିଥିଲେ ଓ କାନ ଧରି ଓଠ ବସ୍ କରିଥିଲେ। ଏବଂ ପରେ ଜଗନ୍ନାଥଙ୍କୁ ପୁଲିସ ଜିମାରେ ଦେଇଥିଲେ ଗ୍ରାମବାସୀ। ଜଗନ୍ନାଥ ଜଣେ ବିବାହିତ ଯୁବକ ହୋଇଥିବା ବେଳେ ଦିଦୀଙ୍କୁ ପ୍ରେମ ନିବେଦନ ବଡ ମହଙ୍ଗା ପଡିଛି ।