ଯାଜପୁର ବଢୁଛି ଝାଡାବାନ୍ତି ଘଟଣାରେ ମୃତ୍ୟୁ

ଯାଜପୁରରେ ଡାଇରିଆ: ଦୁଇ ଦିନରେ ୭ ଜଣଙ୍କ ମୃତ୍ୟୁ ସୂଚନା

ଯାଜପୁର ଝାଡାବାନ୍ତି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଦୁଇ ଦିନ ଭିତରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୭କୁ ଛୁଇଁଥିବା ସୂଚନା ମିଳିଛି । ସରକାରୀ ସ୍ତରରେ ଆରଡିସି ୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି । ସୂଚନା ମୁତାବକ ଦାନଗଦି ଅଞ୍ଚଳରେ ୩ ଜଣ ମୃତ୍ୟୁ ହୋଇଥିବା ବେଳେ ଜଣେ ଯାଜପୁର ରୋଡ ଅଞ୍ଚଳ ଓ ଜଣେ ଯାଜପୁର ବ୍ଲକ ଅଞ୍ଚଳର ବୋଲି କୁହାଯାଉଛି । ସେପଟେ ବଡ଼ଚଣା ଅଞ୍ଚଳରେ ଦୁଇ ଯୁବକଙ୍କ ମୁଣ୍ଡ ଗଡ଼ିଥିବା ସୂଚନା ମିଳିଛି । ମୋଟ ୭ ଜଣଙ୍କ ଜୀବନ ଝାଡାବାନ୍ତିରେ ଯାଇଥିବା ଜଣାପଡିଛି । ଦାନଗଦି ଅଞ୍ଚଳର ୩ ଜଣଙ୍କ ମଧ୍ୟରୁ ଜଣେ ଦାନଗଦି ମେଡ଼ିକାଲରେ ମୃତ୍ୟୁ ହୋଇଥିଲା । ଆଉ ଜଣେ ଆନନ୍ଦପୁର ମେଡ଼ିକାଲରେ ଓ ଅନ୍ୟ ଜଣେ କଟକ ବଡ଼ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି । ଯାଜପୁର ରୋଡ଼ ମେଡ଼ିକାଲରେ ଗତକାଲି ଜଣେ ମୃତ୍ୟୁ ବରଣ କରିଥିଲେ । ସେହିପରି ଯାଜପୁର ବ୍ଲକ ହଜାରିସାହି ଅଞ୍ଚଳର ଜଣେ ଯୁବକ ୨ ଦିନ ତଳେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରଥମେ ଯାଜପୁର ମୁଖ୍ୟ ଚିକତ୍ସାଳୟ ଆସିଥିଲେ । ସେଠାରୁ ଏକ ଘରୋଇ ମେଡିକାଲକୁ ସ୍ଥାନନ୍ତରିତ ହୋଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି ।