ଘଡେଇ ପରିବାରକୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ

ସୁକିନ୍ଦାରେ ପରିବାରବାଦ ରାଜନୀତିକୁ ନେଇ ଧର୍ମେନ୍ଦ୍ରଙ୍କ ସମାଲୋଚନା

ଜାତୀୟ ରାଜନୀତିରେ ପରିବାରବାଦକୁ ନେଇ ସବୁବେଳେ ଲାଗିରହିଥାଏ ଚର୍ଚ୍ଚା । କିନ୍ତୁ ଏବେ ଏହାକୁ ନେଇ ଓଡିଶା ରାଜନୀତିରେ ଚର୍ଚ୍ଚା ଜୋରଧରିଛି । ଓଡିଶାରେ ବାପା ଜାଗାରେ ପୁଅ, ବାପା ଜାଗାରେ ଝିଅ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ବି ପରିବାରବାଦକୁ ନେଇ ସେମିତି ବିଶେଷ ଆଲୋଚନା ହୁଏ ନାହିଁ । ହେଲେ, ଯାଜପୁର ସୁକିନ୍ଦାରେ ରକ୍ଷା ବନ୍ଧନ ଉତ୍ସବରେ ଯୋଗ ଦେବା ଅବସରରେ, ପରିବାରବାଦ ରାଜନୀତିର କଥା ଉଠାଇ ଘଡେଇ ପରିବାରକୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଧାସଳଖ ନାଁ ନେଇନଥିଲେ ବି ବଡ ଘଡ଼େଇ ଓ ସାନ ଘଡ଼େଇ କହି ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପରିବାରବାଦ କ୍ୱିଟ୍ ଇଣ୍ଡିଆ ସ୍ଲୋଗାନ ଦେଇ ସମାଲୋଚନା କରିଛନ୍ତି । ଧର୍ମେନ୍ଦ୍ରଙ୍କ ଟାର୍ଗେଟ ପରେ ପାଲଟା ଜବାବ ଦେଇଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇ । କହିଛନ୍ତି, ଜାତୀୟ ସ୍ତରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ବିଜେପି ସମେତ ସବୁଦଳରେ ପରିବାରବାଦ ଭର୍ତ୍ତି ହୋଇଛି । ସେ ମଧ୍ୟ ପରିବାରବାଦ ରାଜନୀତିରେ ଅଛନ୍ତି । ତେବେ ଧର୍ମେନ୍ଦ୍ରଙ୍କ ପରି ଜଣେ ପରିପକ୍ୱ ନେତାଙ୍କ ମୁହଁରୁ ଏଭଳି ବକ୍ତବ୍ୟ ଶୋଭନୀୟ କି ସ୍ଫୃହଣୀୟ ନୁହେଁ ବୋଲି ସେ କହିଛନ୍ତି ।