ସମ୍ବଲପୁରରୁ ନିର୍ବାଚନ ଲଢ଼ିପାରନ୍ତି ଧର୍ମେନ୍ଦ୍ର
କେଉଁଠୁ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ବିଧାନସଭାରୁ ନା ସଂସଦୀୟ କ୍ଷେତ୍ରରୁ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବେ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହାରି ଭିତରେ ଏକ ସଭାରେ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବୟାନ ଚର୍ଚ୍ଚାର ବିଷୟ ହୋଇଛି । ଆଲୋଚନା ହେଉଛି, ଧର୍ମେନ୍ଦ୍ର ହୁଏତ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏଥର ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ବୋଲି ନିଜେ ହିଁ କହିଥିଲେ । ହେଲେ କେଉଁଠୁ ଲଢ଼ିବେ ତାହା ସ୍ପଷ୍ଟ ନଥିଲା, କିନ୍ତୁ ତା’ର ଆଭାସ୍ ଦେଇଛନ୍ତି ଖୋଦ୍ ଧର୍ମେନ୍ଦ୍ର ପ୍ରଧାନ ।
ଅବସର ଥିଲା, ଅନୁଗୁଳ ଜିଲ୍ଲା ବାଗେଡିଆର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ସଭାମଞ୍ଚରେ ଲୋକଙ୍କୁ ଉଦବୋଧନ ଦେବା ବେଳେ କେନ୍ଦ୍ରମନ୍ତ୍ରୀ ଯାହା କହିଥିଲେ, ତାହା ସାମ୍ବାଦିକଙ୍କୁ ଆଳକନ କରିବାର ସୁଯୋଗକୁ ଆହୁରି ବ୍ୟାପକ କରିଦେଇଛି । ଧର୍ମେନ୍ଦ୍ରଙ୍କ ଏହି ବୟାନ ଏଥିପାଇଁ ଗୁରୁତ୍ୱ ରଖୁଛି କାରଣ, ଛେଣ୍ଡିପଦା ବିଧାନସଭା ଆସନରେ ଆସୁଥିବା ଏହି ଗାଁଟି ସମ୍ବଲପୁର ଲୋକସଭା କ୍ଷେତ୍ରର । ଏଇଠୁ ଲଢ଼ିବାକୁ ପ୍ରସ୍ତାବ ଦେବା କଥା କହିବା ଅର୍ଥ, ସିଧାସଳଖ ସମ୍ବଲପୁର ଆସନକୁ ବୁଝାଉଛି । ଧର୍ମେନ୍ଦ୍ର ଓଡ଼ିଶାରୁ ଲଢ଼ିବା ନେଇ ଇଚ୍ଛା ପ୍ରକାଶ କରିବା ଦିନଠାରୁ ଚର୍ଚ୍ଚାରେ ରହିଛି ଦୁଇଟି ସଂସଦୀୟ କ୍ଷେତ୍ର । ସମ୍ବଲପୁର ଲୋକସଭା ଆସନ ଏବଂ ଢ଼େଙ୍କାନାଳ ଲୋକସଭା ଆସନ । ଯଦିଓ କେଉଁ ଆସନରୁ ଧର୍ମେନ୍ଦ୍ର ଲଢ଼ିବେ ତାହା ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇନି, ତଥାପି ଏହି ଦୁଇଟି ଆସନକୁ ନେଇ ଚର୍ଚ୍ଚା ହେଉଛି ।