ବାପ ଘରକୁ ଯାଇଛନ୍ତି ମାଆ ସାଆନ୍ତାଣୀ, ଏଠି ମାଆଙ୍କ ହାତରୁ ପହିଲି ଭୋଗ ଖାଉଛନ୍ତି ମହାପ୍ରଭୁ

ଶ୍ରୀମନ୍ଦିରରେ ଲାଗି ହେଲା ପହିଲି ଭୋଗ

ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ । ସକାଳୁ ରାମକୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଉଛନ୍ତି ଯଶୋଦା ମା’ । ଏଥିପାଇଁ ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତି । ବାପ ଘରକୁ ବୁଲିଯାଇଛନ୍ତି ମହାଲକ୍ଷ୍ମୀ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ମା ଯଶୋଦା ଏହି ପହିଲି ଭୋଗ ଖୁଆଇଥିଲେ କୃଷ୍ଣ ବଳରାମଙ୍କୁ । ରାତି ୨ରୁ ଦ୍ୱାର ଫୀଟା ହେବା ପରେ ୫ଟା ୨୦ ରୁ ୬ଟା ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି ହୋଇଛି। ପହିଲି ଭୋଗରେ ବିରି, ଗହମଚୂନା, ଘୃତ ପାଗ ହୋଇଥିବା ପିଠା ଏବଂ ଧନୁ ମୁଆଁ ଲାଗି ହୋଇଛି। ଗୋପାଳବଲ୍ଲଭ ପରେ ପହିଲି ଭୋଗ ସମ୍ପନ୍ନ ହୋଇଛି। ବହୁ ପ୍ରତିକ୍ଷୀତ ପହିଲି ଭୋଗର ମହତ୍ୱ ଅନ୍ୟ ଦିନ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ସ୍ଥାନ ରହିଛି। କୁହାଯାଏ ଆଜିଠାରୁ ମା ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି। ତେଣୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା ଯଶୋଦା ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି। ଆଜିଠାରୁ ମକର ସଂକ୍ରାନ୍ତି ଯାଏଁ ପହଲି ଭୋଗ ପ୍ରସ୍ତୁତ କରାଯାଏ। ପହଲି ଭୋଗ ହେଉଛି ମହାପ୍ରଭୁଙ୍କର ଆଦ୍ୟ ଭୋଗ ଯାହା ବଡି ଭୋରୁ କାଉ କା କରିବା ପୂର୍ବରୁ ଲାଗି କରାଯାଏ। ବିରି, ଗହମରେ ପ୍ରସ୍ତୃତ ପ୍ରାୟ ୨୮ ପ୍ରକାର ପିଠାପଣା ଶ୍ରୀଜିଉଙ୍କ ନିକଟରେ ଲାଗି କରାଯାଏ। ପହିଲି ଭୋଗରେ ମୁଖ୍ୟତଃ ବଡଝିଲି, ଅମାଲୁ, ଗଇଣ୍ଠା, ମଣ୍ଡା, ଆରିସା, କାକରା, ଚଢେଇ ନେଦା ଓ ବଡି ଆଦି ଭୋଗ କରାଯାଇଥାଏ।