ବାଂଲାଦେଶ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ, ୧୯ ଜଣଙ୍କ ମୃତ୍ୟୁ

ବାଂଲାଦେଶ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ । ବଢିଚାଲିଛି ମୃତକଙ୍କ ସଂଖ୍ୟା । ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ପିଲା ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ୬ଟି ହସପିଟାଲରେ ଭର୍ତ୍ତି କରାଯାଇଛି ।ସୋମବାର ଦ୍ଵିପ୍ରହର ସମୟରେ ବାଂଲାଦେଶ ବାୟୁସେନାର F7 ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଢାକାର ଉତ୍ତରାରେ ଥିବା ଦିଆବାରି ଅଞ୍ଚଳରେ ମାଇଲଷ୍ଟୋନ ସ୍କୁଲ ଆଣ୍ଡ କଲେଜ ପରିସରରେ ବିମାନଟି ଖସିପଡ଼ିଛି । ବିମାନ କଲେଜ ବିଲ୍ଡିଂରେ ଧକ୍କା ହୋଇଛି । ଦୁର୍ଘଟଣା ସମୟରେ କଲେଜରେ ପିଲାମାନେ ଉପସ୍ଥିତ ଥିବା କୁହାଯାଉଛି । ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।

ବିମାନଟି ଦିନ ପ୍ରାୟ ୧:୦୬ରେ ଉଡ଼ାଣ ଭରିଥିଲା ଏବଂ ଏହାର ତୁରନ୍ତ ପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ସ୍କୁଲ୍ ଗେଟ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା । ନିଆଁ ଲିଭାଇବା ପାଇଁ ଆଠଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ବର୍ତ୍ତମାନ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଏଫ-୭ ବିମାନଟି ଚୀନର ଚେଙ୍ଗଡୁ ଏୟାରକ୍ରାଫ୍ଟ କର୍ପୋରେସନ ଦ୍ୱାରା ତିଆରି କରାଯାଇଛି । ଏହା ସୋଭିଏତ୍ ୟୁନିଅନର ମିଗ-୨୧ର ଏକ ଶସ୍ତା ଚୀନ ସଂସ୍କରଣ, ଯାହାକୁ ଚୀନ୍ ଶସ୍ତାରେ ଏବଂ ଦ୍ରୁତ ଉତ୍ପାଦନ ଆଧାରରେ ଅନେକ ଦେଶକୁ ବିକ୍ରି କରିଥିଲା।