ମହାକୁମ୍ଭରେ ମହାଶିବରାତ୍ରୀ ବୁଡ଼ ପାଇଁ ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼
ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ସ୍ନାନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୬୦ କୋଟି ପାର ହୋଇଗଲାଣି । ମହାକୁମ୍ଭର ଶେଷ ଶାହୀ ସ୍ନାନ ମହାଶିବରାତ୍ରିରେ ରହିଛି । ମହାକୁମ୍ଭରେ ଲଗାତାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି । ଶିବରାତ୍ରୀ ସ୍ନାନ ପାଇଁ ଅଧିକ ଫୋର୍ସ ନିୟୋଜିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପ୍ରୟାଗରାଜକୁ ବିମାନ ଟିକେଟ ଦାମ୍ ମଧ୍ୟ ଅହେତୁକ ବଢିଛି । ବିମାନରେ ଦିଲ୍ଲୀରୁ ପ୍ରୟାଗରାଜ ମାତ୍ର ୩ ହଜାର ଟଙ୍କା ପଡୁଥିବା ବେଳେ ଏବେ ସେହି ଦର ୩୮ରୁ ୪୨ ହଜାର ଟଙ୍କା ଦେଖାଉଛି । ଆଉ ୪ ଦିନ ପରେ ସରିଯିବ ମହାକୁମ୍ଭ । ତେଣୁ ଏହି ୪ ଦିନ ପାଇଁ ଟିକେଟ ଦର ଆକାଶଛୁଆଁ ରହିଥିବା ବେଳେ ୨୬ ଫେବୃଆରୀ ପରେ ବିମାନ ଟିକେଟ୍ ମୂଲ୍ୟ ମାତ୍ର ୩ ହଜାର ଟଙ୍କା ଦେଖାଉଛି । ତେବେ ଶିବରାତ୍ରୀ ଦିନ ମହାକୁମ୍ଭ ଶେଷ ହେଉଥିବା ବେଳେ ଏହା ଶେଷ ସପ୍ତାହ ହୋଇଥିବାରୁ ପ୍ରୟାଗରାଜକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଶୁକ୍ରବାର ରାତି ୧୨ଟାରୁ ଶନିବାର ସକାଳ ୧୦ଟା ମଧ୍ୟରେ ୫୮,୦୦୦ ଗାଡି ପ୍ରୟାଗରାଜର କୁମ୍ଭମେଳାକୁ ଆସିଛି ।
