ଦୁଇ ସପ୍ତାହ ମଧ୍ୟରେ ୫୦ ଆକ୍ରାନ୍ତ ଚିହ୍ନଟ
ରାଜଧାନୀରେ ଏବେ ବ୍ୟାପୁଛି ଡେଙ୍ଗୁ । ସେପଟେ ଲଗାଣ ବର୍ଷା ପରେ ଡେଙ୍ଗୁ ଭୟ ସାରା ରାଜଧାନୀରେ ଭୟ ସୃଷ୍ଟି କରାଇଛି । ଦୁଇ ସପ୍ତାହ ମଧ୍ୟରେ ଚିହ୍ନଟ ହେଲେଣି ୫୦ ଡେଙ୍ଗୁ ଆକ୍ରାନ୍ତ । ସୂଚନା ଅନୁସାରେ ଗତ ସପ୍ତାହ ମଧ୍ୟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହିସାବକୁ ନେଲେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ରେ ପହଞ୍ଚିଛି । ଯାହା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସମଗ୍ର ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ୫୦% କେବଳ ସ୍ମାର୍ଟ ସିଟି ଭୁବନେଶ୍ୱରରୁ ହିଁ ଚିହ୍ନଟ ହେଉଛନ୍ତି। କହିବାକୁ ଗଲେ ଡେଙ୍ଗୁ ନିୟନ୍ତ୍ରଣରେ ଫେଲ ମରିଛି ବିଏମସିର ସମସ୍ତ ପଦକ୍ଷେପ ।
ରୋଗୀ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଥିବା ୧୦ଟି ବେଡ୍କୁ ୭୦କୁ ବୃଦ୍ଧି କରାଯାଇଛି । ବିଏମସିର ସୂଚନା ମୁତାବକ, ନୂଆପଲ୍ଲୀରେ ହିଁ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ତେଣୁ ଏହାକୁ ହଟସ୍ପଟ୍ ଜୋନ ଭାବେ ନଜର ରଖାଯାଇଛି । ଏପଟେ ଲଗାଣ ବର୍ଷାରେ ରାଜଧାନୀ ଉବୁଟୁବୁ ହେଉଥିବା ବେଳେ ଚାରିଆଡେ ଜଳମୟ ସ୍ଥିତି। ପାଣି ବଢିବ ଯୋଗୁଁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଆଗାମୀ ଦିନରେ ବୃଦ୍ଧି ହେବ ନେଇ ମଧ୍ୟ ଆଶଙ୍କା କରାଯାଉଛି। ତେଣୂ କିପରି ରାଜଧାନୀବାସୀ ଡେଙ୍ଗୁରୁ ମୁକ୍ତ ହେବେ ସେନେଇ ବିଏମସି ତ୍ଵରିତ ପନ୍ଥା ଆପଣେଇବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମତ ରଖିଛନ୍ତି ।