ଡେଙ୍ଗୁ ସଂକ୍ରମଣ: ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ର ଚିଠି
ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ। ଗତ ୫ ବର୍ଷ ଭିତରେ ରାଜ୍ୟର ଯେଉଁ ଅଞ୍ଚଳ ଡେଙ୍ଗୁ ହଟ୍ସ୍ପଟ୍ ରହିଆସିଛି, ସେସବୁ ଅଞ୍ଚଳକୁ ମ୍ୟାପିଂ କରିବା ସହ ସେଠାରେ ସର୍ବେକ୍ଷଣ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ। ମୌସୁମୀ ଓ ଏହାର ପରବର୍ତ୍ତୀ ସମୟରେ ଡେଙ୍ଗୁ ଓ ମ୍ୟାଲେରିଆ ସଂକ୍ରମଣ ବଢୁଥିବାରୁ ଆଗୁଆ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜନସଚେତନତା ସହ ଅନ୍ୟ ସହଯୋଗୀ ବିଭାଗ ସହ ସମନ୍ୱୟ ରକ୍ଷା, ଟେଷ୍ଟିଂ, ଚିକିତ୍ସା ଓ ଠିକ୍ ସମୟରେ ରେଫରାଲ ଉପରେ ଗୁରୁତ୍ୱାରୋପ କରାଯାଇଛି। ଡେଙ୍ଗୁ-ମ୍ୟାଲେରିଆ ସଂକ୍ରମଣକୁ ରୋକିବା ଲାଗି ଏହାର ଉତ୍ସକୁ ନଷ୍ଟ କରିବା ସହ ରକ୍ତ ଭଣ୍ଡାରରେ ରକ୍ତ ସଂରକ୍ଷିତରଖିବାକୁ କୁହାଯାଇଛି। ଏଥିସହ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ଡେଙ୍ଗୁ ୱାର୍ଡ ଖୋଲିବା ଓ ସାପ୍ତାହିକ ଡ୍ରାଏ ଡେ’ ପାଳନ ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ।