ଦିଲ୍ଲୀର ଏକ୍ୟୁଆଇ ୩୫୨ ରେକର୍ଡ
ରାଜଧାନୀ ଦିଲ୍ଲୀରେ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ରବିବାର ଦିଲ୍ଲୀର ଏକ୍ୟୁଆଇ (ଏୟାର କ୍ବାଲିଟି ଇଣ୍ଡେକ୍ସ) ୩୫୨ରେ ପହଞ୍ଚିଥିବା ରେକର୍ଡ କରାଯାଇଛି। ଏସଏଏଫଏଆର (ସିଷ୍ଟମ ଅଫ୍ ଏୟାର କ୍ବାଲିଟୀ ଆଣ୍ଡ୍ ୱେଦର ଫୋର୍କାଷ୍ଟିଙ୍ଗ୍ ରିସର୍ଚ୍ଚ) ସଂସ୍ଥା ତରଫରୁ କରାଯାଇଥିବା ସର୍ଭେ ଅନୁଯାୟୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ଥିତିରେ ପହଞ୍ଚିଥିବା କୁହାଯାଇଛି। ଏପରିକି ଆନନ୍ଦ ବିହାର, ଅକ୍ଷରଧାମ ମନ୍ଦିର ଭଳି ଅଞ୍ଚଳରେ ରବିବାର ଏକ୍ୟୁଆଇ ୪୦୦ ଅତିକ୍ରମ କରିଥିବା ଲକ୍ଷ୍ୟ କରାଯାଇଛି। ବର୍ତ୍ତମାନ ଦିଲ୍ଲୀ ଆକାଶରେ ଧୂଆଁର ଆସ୍ତରଣ ଖେଳିଯାଇଛି। ବିଶେଷ କରି ସକାଳ ସମୟରେ ଏହି ସ୍ଥିତି ଅଧିକ ଜଟିଳ ଆକାର ଧାରଣ କରୁଥିବା ଦିଲ୍ଲୀବାସୀ ଅଭିଯୋଗ କରିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦିଲ୍ଲୀ ଆସିଥିବା ଜଣେ ପର୍ୟ୍ୟଟକ କହିଛନ୍ତି ଯେ ସାଂପ୍ରତିକ ସ୍ଥିତିରେ ସହରରେ ନିଃଶ୍ବାସ ନେବା କଷ୍ଟକର ହୋଇପଡିଛି। ସକାଳେ ପ୍ରତ୍ୟହ ସାଇକଲ ଚାଳନା କରୁଥିବା ଲୋକେ କହିଛନ୍ତି ଯେ ବିଗତ ଚାରି ପାଞ୍ଚ ଦିନ ହେବ, ଦିଲ୍ଲୀରେ ସାଇକଲ ଚଳାଇବା ଅସମ୍ଭବ ହୋଇପଡିଛି। ଆକାଶ ଅତ୍ୟନ୍ତ ପ୍ରଦୂଷିତ ହୋଇଥିବାରୁ ଅଧିକ ସମୟ ସାଇକଲ ଚଳାଇଲେ ଧଇଁସଇଁ ହୋଇପଡୁଥିବା ସେମାନେ ଅଭିଯୋଗ କରିଛନ୍ତି।