ବର୍ଷାରେ ଅନେକ ସ୍ଥାନ ଜଳବନ୍ଦୀ, ଟ୍ରାଫିକ ସମସ୍ୟା

ଅଧଘଣ୍ଟାଏ ବର୍ଷାରେ ବେହାଲ ଦିଲ୍ଲୀ

ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସହ ଟ୍ରାଫିକ ସମସ୍ୟା ଉପୁଜିଛି। ଦିଲ୍ଲୀ ଏନସିଆରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଛି । ମାତ୍ର ଅଧଘଣ୍ଟା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାସ୍ତାରେ ପାଣି ଜମିରହିଥିବାରୁ ଯାତାୟତ ପ୍ରଭାବିତ ହୋଇଛି । ସକାଳୁ ସକାଳୁ ପ୍ରବଳ ବର୍ଷା ଯୋଗୁଁ ଅଫିସ ଯିବାକୁ ଲୋକମାନେ ବିଭିନ୍ନ ସମସ୍ୟା ଭୋଗିଛନ୍ତି । ଆଇଟିଓ, ଧୋଲାକୁଆଁ, ନାରାୟଣା, ପଟେଲ ନଗର, ବିଜୟ ଛକ, ଆରକେ ପୁରମ, ଲାଜପତ ନଗର, ତାଲକଟୋରା ରୋଡ ଅଞ୍ଚଳରେ ପାଣିରେ ଭରି ରହିଛି ।ଆଗାମୀ କିଛି ଘଣ୍ଟା ମଧ୍ୟ ପ୍ରବଳ ବର୍ଷା ଜାରି ରହିପାରେ । ତେଣୁ ଦିଲ୍ଲୀର ଅଧିକାଂଶ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଝଡ଼ ପବନ ସହ ଖରାପ ପାଗ ଯୋଗୁଁ ଏକାଧିକ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଗକୁ ବିମାନ ଚଳାଚଳ ପ୍ରଭାବିତ ହେବା ନେଇ ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛନ୍ତି ଏୟାରଲାଇନ୍ସ । ଇଣ୍ଡିଗୋ ଏକ୍ସରେ ପୋଷ୍ଟ କରି ଯାତ୍ରୀମାନଙ୍କୁ ସୂଚନା ଦେଇଛି । ସେହିଭଳି ସ୍ପାଇସଜେଟ ମଧ୍ୟ ଟ୍ରାଭେଲ ଆଡଭାଇଜରି ଜାରି କରିଛି ।