‘ଆମେ ଯାହା କହୁ କାମରେ ତାହା କରି ଦେଖାଉ’

ସରକାରକୁ ଆସିଲେ ଆୟୁଷ୍ମାନ କାର୍ଡ ମିଳିବ : ରାଜନାଥ ସିଂହ

ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରଥମେ ଭବାନୀପାଟଣା ପରେ ରାୟଗଡ଼ା ଜନସଭାକୁ ସମ୍ବୋଧିତ କରିଛନ୍ତି । ଭବାନୀପାଟଣାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରଥମ ଥର ଆସି ଏତେ ପରିମାଣରେ ସ୍ୱାଗତ ସମ୍ବର୍ଦ୍ଧନା ପାଇ ଅତ୍ୟନ୍ତ ଖୁସି ଥିବା କହିଛନ୍ତି ରାଜନାଥ । କଳାହାଣ୍ଡି ଗରିବୀ ଓ ଦାରିଦ୍ର ପାଇଁ ପରିଚିତ ଥିବା କହିଛନ୍ତି ରାଜନାଥ । ପ୍ରତ୍ୟେକ ଅଞ୍ଚଳ ବିକଶିତ ନହେଲେ ବିକଶିତ ଭାରତ ସମ୍ଭବ ନୁହେଁ ବୋଲି କହିଛନ୍ତି । ଅନ୍ୟପଟେ ଗରିବୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । କିନ୍ତୁ କଂଗ୍ରେସ ଦ୍ୱାରା ଏହା ସମ୍ଭବ ହେଲାନି ବୋଲି କହିଛନ୍ତି ରାଜନାଥ । ଗରିବୀକୁ ନେଇ କଂଗ୍ରେସକୁ ନିଶାନା କରିଛନ୍ତି ରାଜନାଥ ସିଂହ । ଅନେକ ଏନଜିଓ ଗରିବୀ ପର୍ୟ୍ୟଟନ ପାଇଁ ଏଠାକୁ ଆସୁଥିଲେ । ଏଠୁ ଯାଇ ଏଠାକାର ଦାରିଦ୍ର୍ୟ ବାବଦରେ ଖବରକାଗଜରେ ଲେଖୁଥିଲେ । ମୋଦିଙ୍କ ନେତୃତ୍ୱରେ ଅନେକ ସାମାଜିକ କଲ୍ୟାଣ କାମ ହୋଇଛି । ଆଗାମୀ ୫-୮ ବର୍ଷରେ କଳାହାଣ୍ଡି ବାବଦରେ ଏ ଧାରଣା ବଦଳିଯିବ ବୋଲି କହିଛନ୍ତି ରାଜନାଥ । ୫୦/୫୫ ବର୍ଷ କ୍ଷମତାରେ ରହିବା ସତ୍ତ୍ୱେ ଗରିବୀ ଦୂର ହେଲାନି । କଂଗ୍ରେସ କରିପାରିଲାନି କିନ୍ତୁ ମୋଦି କରି ଦେଖାଇଲେ । ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜେପି ସରକାର ଆସିଲେ ଆୟୁଷ୍ମାନ କାର୍ଡ ମିଳିବ । ଗରିବ ହେଉ କି ଧନୀ, ସମସ୍ତଙ୍କୁ ଆୟୁଷ୍ମାନ ସୁବିଧା ମିଳିବ ବୋଲି କହିଛନ୍ତି ରାଜନାଥ । ଯାହା କହିଥିଲୁ ତାହା କରି ଦେଖାଇଛୁ । ଧାରା ୩୭୦ ହଟାଇବୁ କହିଥିଲୁ, ହଟାଇଲୁ ।