ବିଜେଡି ଛାଡ଼ିଲେ ଦେବାଶିଷ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି ଦେବାଶିଷ । ଇସ୍ତଫାପତ୍ରରେ ଦେବାଶିଷ ଦଳର ସଭାପତିଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କୁ ଓଡିଶାବାସୀଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି । ଏଥିସହିତ ସେ ତାଙ୍କର ଇସ୍ତଫାର ନିଦ୍ଧିଷ୍ଟ କୌଣସି କାରଣ ଉଲ୍ଲେଖ କରିନାହାଁନ୍ତି । ଯାଜପୁର ଜିଲ୍ଲା ବରୀରୁ ୪ ଥର ବିଧାୟକ ହୋଇଥିଲେ । ୨୦୦୦ରୁ ୨୦୧୯ ପର୍ୟ୍ୟନ୍ତ ବିଧାୟକ ଥିଲେ ଦେବାଶିଷ ନାୟକ । ଯାଜପୁର ଜିଲ୍ଲା ବରୀରୁ ସେ ୪ ଥର ବିଧାୟକ ରହିଥିଲେ । ଖାଲି ସେତିକି ନୁହେଁ, ନବୀନ ତାଙ୍କୁ ନିଜ ସରକାରରେ ମନ୍ତ୍ରୀ ପଦ ମଧ୍ୟ ଦେଇଥିଲେ । ୨୦୦୪ରୁ ୨୦୦୮ ପର୍ୟ୍ୟନ୍ତ ବିଭିନ୍ନ ବିଭାଗରେ ମନ୍ତ୍ରୀ ଥିଲେ ଦେବାଶିଷ । କ୍ରୀଡା ବିଭାଗ ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ରହିସାରିଥିଲେ ବିଜେଡିର ଏହି ବରିଷ୍ଠ ନେତା । ହେଲେ ୨୦୧୯ରେ କିନ୍ତୁ ତାଙ୍କୁ ଦଳ ଟିକେଟ୍ ଦେଇନଥିଲା । ତାଙ୍କ ସ୍ଥାନରେ ଦଳ ସୁନନ୍ଦା ଦାସଙ୍କୁ ଟିକେଟ୍ ଦେଇଥିଲା । ଆଉ ସୁନନ୍ଦା ମଧ୍ୟ ବିଜେପିର ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ହରାଇ ବିଧାୟକ ହେଇଥିଲେ । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ, ଏହା ପୂର୍ବରୁ ଦଳ ଛାଡିଛନ୍ତି ଦେବାଶିଷ ।