ବିଶ୍ଵପ୍ରସିଦ୍ଧ ବାଲିଯାତ୍ରା ପାଇଁ ତାରିଖ ଘୋଷଣା

ନଭେମ୍ବର୨୭ରୁ ଡିସେମ୍ବର୪ ଯାଏଁ କଟକ ବାଲିଯାତ୍ରା

ବିଶ୍ଵପ୍ରସିଦ୍ଧ କଟକର ବାଲିଯାତ୍ରା ପାଇଁ ନିର୍ଦ୍ଧାରିତ ହେଲା ତାରିଖ । ଆସନ୍ତା ନଭେମ୍ବର୨୭ ତାରିଖରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା। ନଭେମ୍ବର୨୭ରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମହାନଦୀ ପଠାର ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ଅନୁଷ୍ଠିତ ହେବ। ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ ଗତବର୍ଷ ଭଳି ଅନେକ ନୂଆ ପଦକ୍ଷେପ ନିଆଯିବ। ଓରମାସ ପକ୍ଷରୁ ଏକ ଜାତୀୟ ସ୍ତରର ପଲିଶ୍ରୀ ମେଳାସହ ଓରମାସର ଷ୍ଟଲ ସଂଖ୍ୟା ଆଉ ୪୦୦କୁ ବୃଦ୍ଧି କରାଯିବ।

ସେହିପରି ଗତବର୍ଷ ହୋଇଥିବା କଟକ ଇନ୍ କଟକରେ ଜିଲ୍ଲାରେ ଥିବା ବିଭିନ୍ନ ସ୍ମାରକୀର ପ୍ରତିକୃତି କରାଯିବା ସହ ଚଳିତ ବର୍ଷ କଟକ ଇନ୍ କଟକ ପାଭିଲିୟନରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମେଳା ମଧ୍ୟ କରାଯିବା ନେଇ ସୂଚନା ରହିଛି । ଭାଇଚାରାର ସହର କଟକ ପାଇଁ ବାଲିଯାତ୍ରା ଏକ ଇମୋଶନ , ରାଜ୍ୟ ତଥା ଦେଶ ବାହାରୁ ମଧ୍ୟ ଏହି ଯାତ୍ରା ଦେଖିବାକୁ ହଜାର ହଜାର ଦର୍ଶକଙ୍କ ଭିଡ଼ ଛୁଟେ । ତେବେ ଏହି ଯାତ୍ରାକୁ ଶୃଙ୍ଖଳିତ କରାଯିବା ନେଇ ପୋଲିସ ପ୍ରଶାସନ ସହ ମଧ୍ୟ ଆଲୋଚନା ହୋଇଥିବା ଦେଖିବାକୁ ମିଳିଛି । ସେପଟେ ତାରିଖ ପକ୍କା ହେବା ପରେ ନଭେମ୍ବର ୨୭କୁ ସଭିଙ୍କ ଅପେକ୍ଷା ।