ଆରପାରିରେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ

ଆରପାରିରେ ଦାମୋଦର ରାଉତ

ଆରପାରିରେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ। ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଆଜି ଭୋର ୫ଟା ୨୩ ମିନିଟରେ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଦାମୋଦର ରାଉତ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ଅକ୍ସିଜେନ୍ ସାଚୁରେସନ କମିବା ପରେ, ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ହସ୍ପିଟାଲରେ ହିଁ ଆଜି ତାଙ୍କର ଦେହାନ୍ତ ହୋଇଛି । ଓଡ଼ିଶା ରାଜନୀତିର ଜଣେ ମହାଦ୍ରୁମ ଭାବେ ପରିଚିତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ୭ ଥର ବିଧାୟକ ଓ ବହୁ ବାର ମନ୍ତ୍ରୀ ହୋଇଥିବା ଦାମୋଦର ବିଜୁ ପଟ୍ଟନାୟକଙ୍କର ବି ଥିଲେ ଅତି ଘନିଷ୍ଠ ସହଯୋଗୀ। ୧୯୭୭ ମସିହାରେ ପ୍ରଥମ ଥର ପାଇଁ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତାଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ୧୯୮୦ରେ ଜନତା ଦଳ ସେକୁଲାରରୁ ଜିତି ଦ୍ୱତୀୟ ଥର ପାଇଁ ବିଧାନସଭା ଆସିଥିଲେ। ଯଦିଓ ୧୯୯୫ ମସିହାରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା, ହେଲେ ୨ ହଜାରରୁ ୨୦୧୯ ପର୍ୟ୍ୟନ୍ତ ବିଜୁ ଜନତା ଦଳରୁ ଲଗାତର ନିର୍ବାଚିତ ହୋଇ ଆସିଥିଲେ । ୫ଥର ଏରସମା ଓ ୨ଥର ପାରାଦ୍ୱୀପରୁ ଲଢି ବି ଜିତିଥିଲେ ଦାମ । ସେ ବିଭିନ୍ନ ସମୟରେ କୃଷି, ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ, ସମବାୟ ଭଳି ୭ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳି ଥିଲେ । ତେବେ ୨୦୧୭ ମସିହାରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା। ତାପରେ ସେ ମାର୍ଚ୍ଚ ୨୦୧୯ରେ ବିଜେପିରେ ମିଶି ବାଲିକୁଦାରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ତେବେ ଗତ ଜାନୁଆରୀ ମାସରେ ବିଜେଡି ତାଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇ ଥିଲା।