ଟମାଟୋ ପରେ ବଢୁଚି ଡ଼ାଲି ଦର

ଆଗକୁ ଡ଼ାଲି କରିବ ପକେଟ୍ ଖାଲି

ଟମାଟୋ ଦର ଏବେ ବି କିଲୋଗ୍ରାମ ପିଛା ୧୦୦ ଟଙ୍କା ଉପରେ ରହିଛି | ଖୁଚୁରାରେ ଟମାଟୋ କିଲୋଗ୍ରାମ ପିଛା ୧୫୦ ଟଙ୍କାରୁ ଅଧିକ ଦାମରେ ଥିବାବେଳେ ଏବେ ଖାଉଟିଙ୍କ ପାଇଁ ଆଉ ଏକ ବୋଝ ଆସିବାକୁ ଯାଉଛି | ପରିବା ଦରକୁ ନେଇ ଏବେ ବି ଖାଉଟି ଚିନ୍ତାରେ ଥିବାବେଳେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ହରଡ ଡାଲିର ଦର ମଧ୍ୟ ବଢିଛି | ଏବେ ହରଡ ଡାଲି କିଲୋ ପିଛା ୧୪୦ରୁ ୧୭୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି | ସେହିପରି ବୁଟ ଡାଲି କିଲୋଗ୍ରାମ ପିଛା ୧୦୦ ରୁ ୧୧୦ ଟଙ୍କା ଓ ମୁଗ ଡାଲି ୧୧୦ ରୁ ୧୧୫ ଟଙ୍କା ମଧ୍ୟରେ ବିକ୍ରି ହେଉଛି | ୨୦ ଦିନ ପୂର୍ବରୁ ହରଡ ଡାଲି କିଲୋଗ୍ରାମ ପିଛା ୧୦୫ ରୁ ୧୨୦ ଟଙ୍କା ମଧ୍ୟରେ ଥିଲା | ଏଭଳି ଭାବେ ମାତ୍ର ୨୦ ଦିନ ମଧ୍ୟରେ ହରଡ ଡାଲି କିଲୋଗ୍ରାମ ପିଛା ୪୦ ଟଙ୍କା ବଢିଛି | ତେବେ ହରଡ ଡାଲି ବୃଦ୍ଧିକୁ ନେଇ ବ୍ୟବସାୟୀ ସଂଘର କହିବା କଥା ଯେ କମ ଉତ୍ପାଦନ ସାଙ୍ଗକୁ କର୍ପୋରେଟ ଜଗତର ପ୍ରବେଶ ଦର ବୃଦ୍ଧିର କାରଣ ପାଲଟିଛି | ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡାଙ୍କ କହିବା କଥା ଯେ ହରଡ ଡାଲିର ଉତ୍ପାଦନ କମିଥିବାବେଳେ କର୍ପୋରେଟ ବ୍ୟବସାୟୀମାନେ ଅତ୍ୟାବଶ୍ୟକ ସାମଗ୍ରୀକୁ ମନ ଇଚ୍ଛା ଭାବେ ଚାଷୀଙ୍କ ପାଖରୁ କିଣି ମହଜୁଦ ରଖୁଛନ୍ତି | ଆଉ ସେମାନଙ୍କ ଇଚ୍ଛା ମୁତାବକ ଦର ବଢ଼ାଇଦେଉଛନ୍ତି | ଯେତେବେଳେ ଦର ବହୁତ ବଢିଯାଉଛି ସେତେବେଳେ ହଠାତ ଦର କମାଇଦେଉଛନ୍ତି | ସେ କହିଛନ୍ତି ଯେ କେବଳ ଡାଲି ନୁହେଁ ଚାଉଳ, ମସଲା ଦର ମଧ୍ୟ ବଢିଛି | ବର୍ଷକ ତଳେ ଜିରା କିଲୋଗ୍ରାମ ପିଛା ୨୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ବର୍ତ୍ତମାନ ୮୦୦ ଟଙ୍କାରେ ପହଞ୍ଚିଛି | ସେହିପରି ଚାଉଳ ଦାମ କିଲୋପିଛା ୨୫ ଟଙ୍କାରେ ଗତବର୍ଷ ବିକ୍ରି ହେଉଥିବାବେଳେ ଏବେ କିଲୋଗ୍ରାମ ପିଛା ୩୫ ଟଙ୍କାରେ ପହଞ୍ଚିଛି |