ଆଜିଠୁ ଆରମ୍ଭ ହେବ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ

ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି

ଆଉ ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା । ଆଜିଠୁ ଆରମ୍ଭ ହେବ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ । ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ହୋଇଥିବା ବେଳେ ବଡ଼ସିଂହାର ବେଶ ପରେ ଭୋଗ ହୋଇ ପହୁଡ଼ ଆଳତି ହେବ । ଏହାପରେ ଶ୍ରୀ ମୁଖ ଖଣ୍ଡୁଆ ଓ ବାହୁଟ କଂଟ ସରିବା ପରେ ହେବ ଚାର ବନ୍ଧା କାର୍ଯ୍ୟ । ଦିନ ଗୋଟାଏ ସୁଦ୍ଧା ସେନାପଟା ଲାଗି ନୀତି କରାଯିବ ବୋଲି କହିଛନ୍ତି ଦଇତାପତି ସେବାୟତ । ପରମ୍ପରା ଅନୁଯାୟୀ ଜ୍ୟୋଷ୍ଠ ଶୁଳ୍କ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ହୋଇଥାଏ ଦଇତା ପ୍ରବେଶ ନୀତି । ସମସ୍ତ ଦଇତାପତି ଗୋଷ୍ଠୀଗତ ଭାବେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକ ହେଉଛନ୍ତି ଦଇତାପତି । ନୀଳମାଧବଙ୍କୁ ପୁଜା କରୁଥିବା ବିଶ୍ୱାବସୁଙ୍କ ବଂଶଧର ଭାବେ ଦଇତାପତିଙ୍କୁ ଦିଆଯାଇଛି ଶ୍ରୀମନ୍ଦିରରେ ଗୁପ୍ତସେବା । ବର୍ଷକଯାକ ଶ୍ରୀମନ୍ଦିରକୁ ଦଇତାପତିମାନେ ଯାଇଥାନ୍ତି କିନ୍ତୁ ସ୍ନାନପୁଣ୍ଣିମା ଠାରୁ ନିଳାଦ୍ରିବିଜେ ପର୍ଯ୍ୟନ୍ତ ଦଇତାପତିଙ୍କର ରହିଥାଏ ବିଶେଷସେବା । ଦଇତାପତିଙ୍କର ଶ୍ରୀମନ୍ଦିରରେ ହେଉଛି ଜନ୍ମଗତ ସେବା ।