ଅମଲାପୁରମ ଠାରେ ଲ୍ୟାଣ୍ଡଫଲ କଲା ସାଇକ୍ଲୋନ ମୋନ୍ଥା
ଅମଲାପୁରମ ଠାରେ ଲ୍ୟାଣ୍ଡଫଲ କଲା ସାଇକ୍ଲୋନ ମୋନ୍ଥା। କାକିନାଡ଼ା କି ମଛଲିପଟ୍ଟନମରେ ଲ୍ୟାଣ୍ଡଫଲ ନ କରି କାକିନାଡ଼ା ଠାରୁ ଦକ୍ଷିଣକୁ 24 କିଲୋମିଟର ଅମଲାପୁରମ ଠାରେ ଲ୍ୟାଣ୍ଡଫଲ କରିଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟାରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ପ୍ରାୟ ୭ଘଣ୍ଟା ପରେ ଶେଷ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳର ସମୁଦ୍ର ଉପକୂଳରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଆଜି ଆନ୍ଧ୍ରପ୍ରଦେଶ ସହିତ ଓଡ଼ିଶା ଏବଂ ତାମିଲନାଡୁରେ ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ଦେଖାଯାଇଛି। ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ପବନର ବେଗ ଘଣ୍ଟା ପିଛା ପ୍ରାୟ ୧୦୦କିମି ରହିଛି। ଉଭୟ ପବନ ଓ ବର୍ଷା ଉଗ୍ରରୂପ ନେଇଛି। ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ତାମିଲନାଡୁରେ ବର୍ଷାର ପରିମାଣ ବଢ଼ିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ଯୋଗୁଁ ଗଜପତି, ଗଂଜାମ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ସର୍ବାଧିକ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି।
