ମିଗଜୋମର ପ୍ରଭାବ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା
ଓଡ଼ିଶାରେ ଦେଖିବାକୁ ମିଳିଛି ବାତ୍ୟା ମିଗଜୋମ ପ୍ରଭାବ। ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶର ବାପଟଲାରେ ଲ୍ୟାଣ୍ଡଫଲ୍ କରିଛି ମିଗଜୋମ। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ଆଜି ରାତିରୁ କାଲି ସକାଳ ଯାଏଁ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ତିନୋଟି ଜିଳ୍ଲାକୁ ଅରେଂଜ ଓ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଗଜପତିରେ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି ବନ୍ଦ ରହିବ । ମାଲକାନଗିରି, ରାୟଗଡା ଓ କୋରାପୁଟର କିଛି ଅଂଚଳରେ ପ୍ରବଳ ବର୍ଷା ଲାଗି ରହିଛି । ଲ୍ୟାଣ୍ଡଫଲ ପରେ ସୀମାନ୍ତ ଜିଲ୍ଲାଗୁଡିକରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ରାତିରୁ ବୁଧବାର ସକାଳ ଯାଏଁ ବର୍ଷାର ପରିମାଣ ଅଧିକ ରହିବ ବୋଲି ଜଣାପଡିଛି । ବର୍ଷା ଯୋଗୁଁ ଚାଷୀ ଏବେ ଚିନ୍ତାରେ । ଫସଲ ଅମଳ ସମୟରେ ଅଦିନିଆ ବର୍ଷା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅନେକ ଗାଁରେ ଫସଲ କାଟି ଚାଷୀ ବିଲରେ ଗଦା କରିଛନ୍ତି । ପ୍ରବଳ ବର୍ଷା ହେଲେ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । ଅନେକ ଜିଲ୍ଲାରେ ଚଳିତବର୍ଷ ବର୍ଷା ଅଭାବରୁ ବହୁ ଫସଲ ନଷ୍ଟ ହୋଇଛି ।