ବାତ୍ୟା ରୂପ ନେଲା ”ହାମୁନ”
ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ବାତ୍ୟା ହାମୁନର ରୂପ ନେଇଛି । ଇରାନ ପକ୍ଷରୁ ଏହାର ନାମକରଣ କରାଯାଇଛି । ଏହା ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଗତି କରୁଛି ଓ ଏହା ସଂଧ୍ୟା ସାଢେ ୫ଟା ସୁଦ୍ଧା ପାରାଦୀପ ଠାରୁ ୨୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ଥିଲା ବୋଲି ଭାରତୀୟ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପକ୍ଷରୁ କୁହାଯାଇଛି ଯେ, ଏହି ବାତ୍ୟା ଏବେ ଓଡ଼ିଶା ଉପକୂଳଠାରୁ ସମୁଦ୍ର ମଧ୍ୟରେ ସମାନ୍ତରାଳ ଭାବେ ଗତି କରୁଛି ଓ ଏହା ଉତ୍ତର-ପୂର୍ବଦିଗରେ ଗତି କରି ୨୫ ତାରିଖ ସୁଦ୍ଧା ବାଂଲାଦେଶର ଚିଟାଗଙ୍ଗ ଓ ଖେପୁପାରା ଉପକୂଳ ନିକଟରେ ସ୍ଥଳଭାଗ ଛୁଇଁବ । ଏହି ସାମୁଦ୍ରିକ ବାତ୍ୟା ଭାବେ ଏହାର ଜୀବନକାଳ ସଂକ୍ଷିପ୍ତ ରହିବ ଓ ସ୍ଥଳଭାଗ ଛୁଇଁବା ପୂର୍ବରୁ ହିଁ ଏହା ଦୁର୍ବଳ ହୋଇ ଏକ ଡିପ୍ ଡିପ୍ରେସନ ବା ଗଭୀର ଅବପାତରେ ପରିଣତ ହୋଇସାରିଥିବ ବୋଲି ସ୍କାଏମେଟ୍ କହିଛି । ଏହି ବାତ୍ୟା ଭାରତୀୟ ଉପକୂଳ ସହ ସମାନ୍ତରାଳ ଗତିରେ ସମୁଦ୍ର ମଧ୍ୟରେ ଗତି କରୁଥିବାରୁ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ତେବେ ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସେହିପରି ଗାଙ୍ଗେୟ ପଶ୍ଚିମବଙ୍ଗ ଅଂଚଳରେ ମଧ୍ୟ ବର୍ଷା ହେବ । ତେବେ ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ ଓ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବ । ଏହି କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।