ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନେକ ବର୍ଷ ଧରି କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳୁ ବୋଲି ଦାବି ହୋଇଆସୁଥିଲେ ଆଜି ତାହା ପୂରଣ ହୋଇଛି । କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୦ରେ ମୋଦୀ ସରକାରଙ୍କୁ ଏନେଇ ନବୀନ ଚିଠି ଲେଖିଥିଲେ । ଏପରିକି ଗତବର୍ଷ କଟକ ବାଲିଯାତ୍ରା ସମୟରେ ଏହାକୁ ଜାତୀୟ ମାନ୍ୟତା ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଥିଲେ । ଯାହା ଏବେ ପୂରଣ ହୋଇଛି । ସାମୁଦ୍ରିକ ବାଣିଜ୍ୟ ମାଧ୍ୟମରେ ଓଡ଼ିଶା ମହୋତ୍ସବ ହଜାର ହଜାର ବର୍ଷ ଧରି ବାଲି, ସୁମାତ୍ରା, ଜାଭା, ଶ୍ରୀଲଙ୍କା ଏବଂ ମାଲେସିଆ ସହ ଭାରତକୁ କିପରି ସଂଯୋଗ କରିଛି, ତା ଉପରେ ଆଲୋକପାତ କରିଥିଲେ ମୋଦି । ଐତିହାସିକ ବାଲିଯାତ୍ରା ଗତ ୨୦୨୨ ମସିହାରେ ଗିନିଜ ୱାର୍ଲଡ ରେକର୍ଡ ବି କରିଥିଲା । ମାତ୍ର ୩୫ ମିନିଟରେ ୨୨ ହଜାର କାଗଜ ଡଙ୍ଗା ତିଆରି କରି ବାଲିଯାତ୍ରା ରେକର୍ଡ କରିଥିଲା । ତା’ସହ ବିଭିନ୍ନ ମହଲରେ ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ସପକ୍ଷରେ ମତ ପ୍ରକାଶ ପାଇବା ସହ ଦାବି ବି ଉଠିଥିଲା । ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ନେଇ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ । ପୂର୍ବ ପ୍ରତିଶ୍ରୁତି ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦିଆଯାଇଥିବା ନେଇ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । କଟକ ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପରେ କଟକ ଏବଂ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି ।
