ନୂଆବର୍ଷ ପାଇଁ ପୁରୀରେ ପର୍ଯ୍ୟଟଙ୍କ ଭିଡ଼

ନୂଆବର୍ଷ ପାଇଁ ପୁରୀରେ ଭିଡ଼, ଜାଣନ୍ତୁ କେଉଁ ପଟେ କରିବେ ପାର୍କିଂ

ନୂଆବର୍ଷ ପାଇଁ ପୁରୀରେ ପର୍ଯ୍ୟଟଙ୍କ ଭିଡ଼। ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରାୟ ୪ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୦ ଜଣ ଅତିରିକ୍ତ SP, ୩୩ ଜଣ DSP ଏବଂ ୩ ଶହରୁ ଅଧିକ ପୋଲିସ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର କମାଣ୍ଡ ଗଠନ ହୋଇଛି । ୬୨ ଜଣ ଇନ୍ସପେକ୍ଟରଙ୍କୁ ସୁରକ୍ଷା ଦାୟିତ୍ୱରେ ରଖାଯାଇଛି । ବଡ଼ଦାଣ୍ଡରେ ଲମ୍ବା ବ୍ୟାରିକେଡ୍ କରାଯାଇଛି । ଯେପରି ଭକ୍ତମାନେ ଶୃଙ୍ଖଳିତ ଭାବେ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ । ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ । ଅନ୍ୟ ତିନୋଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ଓ ସୁବିଧାର ବ୍ୟବସ୍ଥା କରାଯାଇଛି । ମନ୍ଦିର ପ୍ରଶାସନ ତରଫରୁ ପାନୀୟ ଜଳ, ଛାଉଣୀ ଏବଂ ଜୋତା ଷ୍ଟାଣ୍ଡର ମଧ୍ୟ ସଂଖ୍ୟା ବଢ଼ାଯାଇଛି । ପୁରୀ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରୀ ଜାରି କରାଯାଇଛି ।ଭୁବନେଶ୍ୱର ପଟୁ ଆସୁଥିବା ୪ ଚକିଆ ଗାଡ଼ି ବାଟଗାଁ, ନୂଆ ବାଇପାସ୍ ଏବଂ ଶ୍ରୀସେତୁ ଦେଇ JBPC ପାର୍କିଂକୁ ଯିବେ । ଯଦି JBPC ପୂର୍ଣ୍ଣ ହୋଇଯାଏ, ଗାଡ଼ିଗୁଡ଼ିକୁ ଜେଲ୍ ରୋଡ୍ ପାର୍କିଂ କିମ୍ବା ଶରଧାବାଲି ପଡ଼ିଆକୁ ପଠାଯିବ । ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ି ମଙ୍ଗଳାଘାଟ ଦେଇ ଷ୍ଟର୍ଲିଂ ଛକ ଏବଂ ବିଚ୍ ରୋଡ୍ ଦେଇ ଯାତ୍ରିକା ପାର୍କିଂକୁ ଯିବେ । ଭୁବନେଶ୍ୱର ପଟୁ ଆସୁଥିବା ବାଇକ୍ ଗୁଡ଼ିକ ଅଠରନଳା ଦେଇ ମ୍ୟୁନିସିପାଲିଟି ମାର୍କେଟ୍ କମ୍ପ୍ଲେକ୍ସରେ ପାର୍କିଂ କରିବେ । ୩ ଚକିଆ ଗାଡ଼ିଗୁଡ଼ିକୁ ଶ୍ରୀମନ୍ଦିର ଚାରିପାଖକୁ ପ୍ରବେଶ ମନା କରାଯାଇଛି । ସେମାନେ ନିର୍ଦ୍ଧାରିତ ଛକ ପର୍ଯ୍ୟନ୍ତ ହିଁ ଯାଇପାରିବେ । CCTV ଓ ଡ୍ରୋନ୍ ନଜରରେ ରହିବ ପୁରୀ ସହର, ବଡ଼ଦାଣ୍ଡ, ଶ୍ରୀମନ୍ଦିର ଏବଂ ସମୁଦ୍ର କୂଳ । ଜିରୋ ଟୋଲେରାନ୍ସ ନୀତି ଆପଣାଇ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ସ୍ଥାନରେ ଚେକ୍ ପୋଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *