ଯେତେ ଗଣିଲେ ବି ସରୁନି ଟଙ୍କା, ମେସିନ୍ ଥକି ପଡୁଛି

୧୦୬ ବସ୍ତାରୁ ମିଳିଲାଣି ୧୩୦ କୋଟି

ଯେତେ ଗଣିଲେ ବି ସରୁନି ଟଙ୍କା । ମେସିନ୍ ଥକି ପଡୁଛି, କିନ୍ତୁ ଶେଷ ହେଉନି ମଦ ଟଙ୍କାର ପାହାଡ଼ । ବଲାଙ୍ଗିରରେ ମେଗା ଆଇଟି ରେଡରେ ମିଳିଥିବା ବସ୍ତା ବସ୍ତା ଟଙ୍କାର ଗଣତି ଚାଲିଛି । ରବିବାର ଛୁଟିଦିନ ସତ୍ତ୍ୱେ ଟଙ୍କା ଗଣତି କରି ଆଜି ସାରିବାକୁ ବ୍ୟାଙ୍କ କର୍ତ୍ତୁପକ୍ଷ ଆଶା ରଖିଛନ୍ତି । ଗତକାଲି ରାତି ଯାଏ ମୋଟ ୧୭୬ ବସ୍ତାରୁ ୧୦୬ ବସ୍ତା ଗଣତି ଶେଷ ହୋଇଛି । ଏଥିରେ ପାଖାପାଖି ୧୩୦ କୋଟି ଟଙ୍କା ଗଣା ସରିଥିବା କୁହାଯାଉଛି । ଆହୁରି ୭୦ ବସ୍ତା ଟଙ୍କା ଗଣିବାକୁ ବାକି ଅଛି । ଟଙ୍କା ଗଣତିରେ ୨୫ ମେସିନ୍ ଓ ୫୦ କର୍ମଚାରୀ ନିୟୋଜିତ ରହିଥିଲେ । ତେବେ ଗଣତି ପରେ ଟଙ୍କା ଦୁଇ ଶହ ୩୦ କୋଟି ହେବ ବୋଲି ଅନୁମାନ କରାଯାଉଛି । ସେପଟେ ଟିଟିଲାଗଡ଼ରେ ଦିପକ୍ ସାହୁ ଓ ସଞ୍ଜୟ ସାହୁ ନିକଟରୁ ଜବତ ୧୧ କୋଟି ଟଙ୍କାର ଗଣତି ସରିଛି । ଅନ୍ୟପଟେ ଶହେରୁ ଅଧିକ ଆଇଟି ଅଧିକାରୀ ମଦ ଭାଟି ରେଡରେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ଓଡିଶାରେ ଦୀର୍ଘ ବର୍ଷରୁ ମଦ ବ୍ୟବସାୟ କରୁଥିବା ସାହୁ ପରିବାର ଉପରେ ଏହି ଚଢାଉ ଚାଲିଛି ।