୨୦ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସମ୍ଭାବନା

ଅସହ୍ୟ ତାତିରେ ଲାଗିବନି ବ୍ରେକ୍, ଦଶହରାରେ ହେବ ବର୍ଷା

ଆହୁରି ସପ୍ତାହେ ଯାଏଁ ଗରମ ଓ ଗୁଳୁଗୁଳିରୁ ନାହିଁ ନିସ୍ତାର । ସାତ ଦିନ ଯାଏଁ ଅନୁଭୂତ ହେବ ଅସହ୍ୟ ତାତି । ୧୯ କିମ୍ବା ୨୦ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ବଙ୍ଗୋପସାଗର ଓ ଆରବସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଗରମର ପ୍ରକୋପ କମିବ । ହେଲେ ଦଶହରା ପୂଜା ବେଳକୁ ବର୍ଷା ଆଶଙ୍କା କମ୍ ରହିଛି । ଅନେକ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି । ପାଣିପାଗ ବିଶେଷଜ୍ଞ କହିଛନ୍ତି, ଅକ୍ଟୋବରରେ ଏଭଳି ତାତି ଏକ ବିଚିତ୍ର କଥା । ଅନ୍ୟପଟେ ରାଜ୍ୟକୁ ଉତ୍ତର-ପୂର୍ବ ପବନ ବିଳମ୍ବିତ ହେଉଥିବାରୁ ଥଣ୍ଡା ବଦଳରେ ଗରମ ହେଉଥିବା ‌ସେ କହିଛନ୍ତି । ଅ‌ଳ୍ପବହୁତ ଏହି ଭଳି ତାତି ଜାରି ରହିବ ଓ ଦୁର୍ଗାପୂଜା ଆଡ଼କୁ ପାଗ‌ ପରିବର୍ତ୍ତନ ହୋଇପାରେ ବୋଲି ସେ ଆଶା ପ୍ରକଟ କରିଛନ୍ତି । ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ସାଧାରଣତଃ ଅକ୍ଟୋବର ୧୦ରୁ ୧୫ ତାରିଖ ଭିତରେ ଓଡ଼ିଶାରୁ ମୌସୁମୀ ଫେରିଯାଏ । ଏହାପରେ ରାଜ୍ୟକୁ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ । କିନ୍ତୁ ଏବେ ଉତ୍ତର-ପୂର୍ବ ବଦଳରେ ଉତ୍ତର-ପଶ୍ଚିମରୁ ପବନ ଓଡ଼ିଶାକୁ ବହୁଛି। ଅନ୍ୟପଟେ ଅକ୍ଟୋବର ମାସରେ ମଝିରେ ମଝିରେ କିଛି କିଛି ବର୍ଷା ହୋଇଥାଏ । କିନ୍ତୁ ଚଳିତ ବର୍ଷ ଅକ୍ଟୋବରରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ମଧ୍ୟ ହୋଇନାହିଁ। ଫଳରେ ମାଟି ଶୁଖିଲା ରହିଛି, ମାଟି ତାତି ବାୟୁମଣ୍ଡଳକୁ ତତାଇ ଦେଉଛି । ପଶ୍ଚିମ ଭାରତରେ ଗୁରୁଚାପ ସୃଷ୍ଟି ହୋଇଛି । ଫଳରେ ସେଠାରୁ ପଶ୍ଚିମା ପବନ ବହୁଛି ଓ ଓଡ଼ିଶା ଗରମ ହେବାରେ ଲାଗିଛି। ଏହାକୁ ‘ଅକ୍ଟୋବର ହିଟ୍‌’ ବୋଲି କୁହାଯାଇଥାଏ ।