୨୦ ତାରିଖ ପରେ ଘୋଷଣା ହୋଇପାରେ ନିଗମ, ବୋର୍ଡ ଏବଂ କମିଟି: ମନମୋହନ
ବିଜେପିର ଅନେକ ନେତା ଏବେ ନିଗମ ଓ ବୋର୍ଡ ଅଧ୍ୟକ୍ଷ ହେବା ଆଶାରେ । ୨୦ ତାରିଖ ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ। ତେବେ ବର୍ତ୍ତମାନ ସମୟରେ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ। ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।ସୁଭଦ୍ରା ଟଙ୍କାରେ ଲକ୍ଷପତି ଦିଦି ସୃଷ୍ଟି ସମ୍ପର୍କରେ ବିଜେଡିର ପ୍ରତିକ୍ରିୟା ଉପରେ ଜବାବ ରଖି ମନମୋହନ ସାମଲ କହିଛନ୍ତି, ବିଜେଡି ୫ ବର୍ଷ ଅପେକ୍ଷା କରୁ। ଅଧୈର୍ଯ୍ୟ ହେବା ଉଚିତ ନୁହେଁ। ଓଡ଼ିଶା ଲକ୍ଷ ପତି ଦିଦିରେ ଏକ ନମ୍ବର ରାଜ୍ୟ ହୋଇପାରିଛି। ଏହା ସୌଭାଗ୍ୟର ବିଷୟ। ଓଡ଼ିଶାର ମହିଳାମାନେ କଠିନ ପରିଶ୍ରମ କରୁଛନ୍ତି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମହିଳାମାନଙ୍କୁ ବିନା ସୁଧରେ ଋଣ ଦେଉଛନ୍ତି, ଯାହା ଦ୍ବାରା ଲକ୍ଷପତି ଦିଦି ହେବାର ସମ୍ଭାବନା ବଢ଼ିଛି। ସୁଭଦ୍ରା ମହିଳାଙ୍କୁ ସ୍ବାବଲମ୍ବୀ ହେବାର ସୁଯୋଗ ଦେଇଛି, ମନରେ ଆତ୍ମବିଶ୍ବାସ ବଢ଼ାଇଛି।
